ଆମେରିକାର ରାସ୍ତା-ଘାଟରେ 'ଜମ୍ବି' ଭଳି ବୁଲୁଛନ୍ତି ଯୁବପିଢି, ଯିଏ ଦେଖିବ ସିଏ ଡରିବ
🎬 Watch Now: Feature Video
ୱାଶିଂଟନ: ହଲିଉଡ ଚଳଚ୍ଚିତ୍ରରେ ନିଶ୍ଚିତ ଦେଖିଥିବେ, ଯେଉଁଥିରେ ଲୋକମାନେ କିଛି ରହସ୍ୟମୟ ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଜମ୍ବି ହୋଇ ଭୂତ ପରି ଦେଖାଯିବା ଆରମ୍ଭ କରନ୍ତି । ବର୍ତ୍ତମାନ ବାସ୍ତବରେ ଏହା ଘଟୁଛି । ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଆମେରିକାର ବଜାର-ଘାଟରେ ଯୁବପିଢିଙ୍କୁ ଏହିଭଳି ସଜ୍ଞାହୀନ ପରିସ୍ଥିତିରେ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଯେ କେହି ବି ଭୟଭୀତ ହୋଇଯାଉଛନ୍ତି । ସୂଚନା ଅନୁସାରେ, ଆମେରିକାରେ ଏକ ନୂତନ ଡ୍ରଗ୍ସ ବ୍ୟବହାର ହେତୁ ଲୋକଙ୍କ ଚର୍ମ କ୍ଷୟ ହୋଇଯାଉଛି ଏବଂ ସେମାନେ ଜମ୍ବି ପରି ଦେଖାଯାଉଛନ୍ତି । ଏହି ଡ୍ରଗ୍ସ ପ୍ରଭାବ ଯୋଗୁଁ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଆମେରିକାର ଅନେକ ସହରରେ ଏହି ଡ୍ରଗ୍ସର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି, ଯେଉଁଥିପାଇଁ ସେଠାରେ ସରକାର ଏବେ ଚିନ୍ତାରେ ପଡି ଯାଇଛନ୍ତି । କହି ରଖୁଛୁ ଯେ, ଆମେରିକାରେ ଜାଇଲାଜାଇନ୍(Xylazine) ନାମକ ଏକ ଡ୍ରଗ୍ସର ବ୍ୟବହାର ବୃଦ୍ଧି ପାଉଛି । ସାଧାରଣତଃ ଏହି ଡ୍ରଗ୍ ବା ଔଷଧ ପଶୁମାନଙ୍କ ଉପରେ ବ୍ୟବହୃତ ହୁଏ, ଯାହା ପଶୁମାନଙ୍କୁ ଚେତାଶୂନ୍ୟ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆମେରିକାର ଅନେକ ସହରରେ ଯୁବକମାନେ ମଧ୍ୟ ଏହାକୁ ଗ୍ରହଣ କରୁଛନ୍ତି । ଏହି କାରଣରୁ ସେମାନେ ଦୁର୍ବଳ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି । ଯେଉଁମାନେ ଏହି ଡ୍ରଗ୍କୁ ବାରମ୍ବାର ବ୍ୟବହାର କରୁଛନ୍ତି କିମ୍ବା ଅତ୍ୟଧିକ ମାତ୍ରାରେ ଗ୍ରହଣ କରୁଛନ୍ତି ସେମାନଙ୍କର ମୃତ୍ୟୁ ମଧ୍ୟ ଘଟୁଛି । ଏଥିସହ, ଏହି ଡ୍ରଗର ବ୍ୟବହାର ହେତୁ ଲୋକଙ୍କ ଚର୍ମ କ୍ଷୟ ହେଉଛି ଏବଂ ସେମାନେ ଜମ୍ବି ପରି ଦେଖାଯାଉଛନ୍ତି । ବାସ୍ତବରେ, ଏହି ଡ୍ରଗର ପାର୍ଶ୍ୱ ପ୍ରତିକ୍ରିୟା ପୀଡିତଙ୍କ ଶରୀରରେ କ୍ଷତ ସୃଷ୍ଟି କରିଥାଏ ଏବଂ ଯଦି ଏହାର ଯତ୍ନ ନିଆନଯାଏ, ତେବେ ଚର୍ମ କୋଷଗୁଡ଼ିକ ମରିଯାଏ । ଫଳରେ ମଣିଷର ରୂପ ଭୟାନକ ଦେଖାଯାଉଛି । ଏହିପରି ଭୟାନକ ରୂପ ସାଙ୍ଗକୁ ପଶୁ ପରି କାର୍ଯ୍ୟକଳାପ ଯେକୌଣସି ବ୍ୟକ୍ତିଙ୍କୁ ଚିନ୍ତାରେ ପକାଇଦେବ । ପ୍ରକାଶ ଥାଉକି, ଏହି ଡ୍ରଗ୍ର ପ୍ରଭାବ ହେତୁ ଜଣେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଅର୍ଦ୍ଧ ଚେତନ ଅବସ୍ଥାରେ ରହିଥାଏ, ଯେଉଁ କାରଣରୁ ସେ ସଡ଼କ ଦୁର୍ଘଟଣା କିମ୍ବା ଯୌନ ଶୋଷଣର ଶିକାର ହେବାର ଆଶଙ୍କା ରହିଥାଏ । ଚିନ୍ତାର ବିଷୟ ହୋଇଛି, ଏହି ଡ୍ରଗ୍ ଆମେରିକାର ବଜାରରେ ସହଜରେ ଉପଲବ୍ଧ ହେଉଛି । ଏପରି ନିଶାକୁ ତୁରନ୍ତ ବନ୍ଦ କରିବା ସହ ଯୁବପିଢିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ନଚେତ୍ ମାନବ ତା'ର ସଜ୍ଞା ହରାଇବାକୁ ବେଶି ସମୟ ଲାଗିବନି !