୧୪ରେ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - KALINGA BALI YATRA 2024
🎬 Watch Now: Feature Video
Published : Nov 11, 2024, 3:28 PM IST
ପାରାଦ୍ବୀପ: ବନ୍ଦର ନଗରୀ ପାରାଦ୍ୱୀପ ଠାରେ ଆସନ୍ତା ୧୪ରେ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ପ୍ରସ୍ତୁତି ଚାଲିଛି । ବିଜୁ ମଇଦାନରେ ଆରମ୍ଭ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରାକୁ ଆହୁରି ବିସ୍ତୃତ କରିବା ପାଇଁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜେ. ସୋନାଲ ଗତକାଲି(ରବିବାର) ସମୀକ୍ଷା କରିଛନ୍ତି ।
ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରାର ଅଧ୍ୟକ୍ଷ ଜେ. ସୋନାଲ କହିଛନ୍ତି, "ପୂର୍ବବର୍ଷ ଠାରୁ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବବର୍ଷ ଅପେକ୍ଷା ଅଧିକ ଷ୍ଟଲ ସହିତ ଓରମାସ ପକ୍ଷରୁ ପାଖାପାଖି ୫ ଶହରୁ ଅଧିକ ଷ୍ଟଲ ଖୋଳାଯିବାକୁ ପ୍ରସ୍ତୁତି ହୋଇସାରିଛି । କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି । କଟକ ଐତିହାସିକ ବାଲିଯାତ୍ରା ଓ ଗୋପାଳପୁର ମହୋତ୍ସବ ଭଳି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାକୁ ସେହିଭଳି ଢଙ୍ଗରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।" ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ଼ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାରଙ୍କୁ ଆମନ୍ତ୍ରଣ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଲୋକନୃତ୍ୟ, ସହିତ ଓଡ଼ିଶାର କଳା ସଂସ୍କୃତି, ଓ ପରମ୍ପରାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୪ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପାରାଦ୍ୱୀପ ସହରର ବିଜୁ ମୈଦାନ ଠାରେ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଏହା ମଧ୍ୟ ପଢ଼ନ୍ତୁ...ବାଲିଯାତ୍ରାରେ ରାସ୍ତା କଡ଼ରେ ବସିବେ ନାହିଁ ଉଠା ବ୍ୟବସାୟୀ: ଜିଲ୍ଲାପାଳ ଏହା ମଧ୍ୟ ପଢ଼ନ୍ତୁ...ଉଭୟ ପଡ଼ିଆରେ ହେବ ବାଲିଯାତ୍ରା, ରାସ୍ତା ଉପରେ ବସିବେ ନାହିଁ ବୁଲା ବିକାଳୀ: ହାଇକୋର୍ଟ |
ଇଟିଭି ଭାରତ, ଜଗତସିଂହପୁର