ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ । ରାତିରେ ଭର୍ତ୍ତି ହେବାର ତିନି ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଛି । ସେପଟେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ନିଶା ନିବାରଣ କେନ୍ଦ୍ର ପାଇଁ ଖୁବଶୀଘ୍ର SOP ଆସିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ପରିବାର ଲୋକଙ୍କ ନାହିଁ ଅଭିଯୋଗ:
ମୃତ ଯୁବକ ଜଣଙ୍କ ହେଲେ ୩୬ ବର୍ଷୀୟ ସୁମନ୍ତ ପଣ୍ଡା । ସୂଚନା ଅନୁସାରେ, ସେ ଗତକାଲି(ରବିବାର) ଭୋର ସମୟ ୪ଟା ୩୦ ସମୟରେ ଅଚେତ ହୋଇପଡିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗତକାଲି (ରବିବାର) ରାତି ୧ଟାଏ ସମୟରେ ସେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ହେଲେ ଭର୍ତ୍ତି ହେବାର ତିନି ଘଣ୍ଟା ପରେ କିପରି ମୃତ୍ୟୁ ହେଲା ସେନେଇ ଉଠିଛି ପ୍ରଶ୍ନ ।
ସୁମନ୍ତଙ୍କ ଭିଣୋଇ କହିଛନ୍ତି, "ସବୁଦିନ ପରି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିବାବେଳେ ନିଶାସକ୍ତ ଦେଖି ଘର ଲୋକେ ନିଶା ନିବାରଣ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ । ଆଉ ସେମାନେ ଆସି ନେଇଯାଇଥିଲେ । ହେଲେ ରାତି ୪ଟା ବେଳକୁ ସେ ଅସୁସ୍ଥ ଦେଖି ସେମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତା'ର ମୃତ୍ୟୁ ହୋଇଛି । ତା' ଦେହରେ କୌଣସି ଚିହ୍ନ ନାହିଁ । ଆମର ମଧ୍ୟ ଏନେଇ କୌଣସି ଅଭିଯୋଗ ନାହିଁ, ପୋଷ୍ଟମର୍ଟମ ପରେ ସତ ଜଣାପଡିବ ।"
ଖୁବଶୀଘ୍ର ଆସିବ SOP
ଡିସିପି କହିଛନ୍ତି, "ଅନେକ ସମୟରେ ନିଶା ନିବାରଣ କେନ୍ଦ୍ରରେ ଏପରି ଘଟୁଛି । ସେନେଇ ଯାଞ୍ଚ ମଧ୍ୟ ଜାରି ରହିଛି । ସିସିଟିଭି ଆଧାରରେ ତନାଘନା ହେଉଛି । କିନ୍ତୁ ଏଭଳି ଘଟଣାକୁ ନଜରରେ ରଖି SOP ଜାରି କରିବାକୁ ନିଷ୍ପତ୍ତି ନିଆଯାଉଛି । ଏନେଇ ଏକ ମଲ୍ଟି ଡିସପ୍ଲିନାରି ଟିମ୍ ଗଠନ କରି ନିୟନ୍ତ୍ରଣ ଉପରେ ଧ୍ୟାନ ଦେବୁ । ଏଥିପାଇଁ କେତେ ନିଶା ନିବାରଣ କେନ୍ଦ୍ର ରହିଛି ସେନେଇ ଏକ ଲିଷ୍ଟ ପ୍ରସ୍ତୁତ କରିବୁ ।"
ଏହା ବି ପଢନ୍ତୁ...ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ନୂଆ ମଦ ନୀତି, ବେଆଇନ ମଦ କାରବାରରେ ଲାଗିବ ରୋକ୍, ବନ୍ଦ ହେବ ଡ୍ୟାନ୍ସ ବାର - New Excise Policy Of Odisha
ନିଶା ନିବାରଣ କେନ୍ଦ୍ର ନାଁରେ ପୂର୍ବରୁ ରହିଛି ଅଭିଯୋଗ:
୨ ଜାନୁଆରୀ ୨୦୨୩ରେ ମଞ୍ଚେଶ୍ବର ସାଇକୃପା ନିଶା ନିବାରଣ କେନ୍ଦ୍ରର ୩ଜଣକୁ ଗିରଫ କରିଥିଲା ପୋଲିସ । ନିଶା ନିବାରଣ କେନ୍ଦ୍ରର ମାଲିକଙ୍କ ସମେତ ଦୁଇ ସହଯୋଗୀ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଥିଲେ । ପଥରବନ୍ଧ ବସ୍ତିର ସର୍ବେଶ୍ୱର ବେହେରା ନାମକ ଯୁବକଙ୍କର ନିର୍ଯାତନା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ମଞ୍ଚେଶ୍ବର ଥାନା ପୋଲିସ ସେତେବେଳେ ଆକ୍ସନ ନେଇଥିଲା।
ସେହିପରି ଇନଫୋଭ୍ୟାଲି ଥାନା ଅଞ୍ଚଳରେ ସେପ୍ଟମ୍ବର ୧୬, ୨୦୨୨ରେ ଲକ୍ଷ୍ୟ ଫାଉଣ୍ଡେସନରେ ଜଣେ ଯୁବକଙ୍କୁ ନିର୍ଯାତନା ସମୟରର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ସେହିପରି ୧୦ ଅକ୍ଟୋବର ୨୦୨୩ରେ ଧଉଳି ଥାନା ଅନ୍ତର୍ଗତ ନିଶା ନିବାରଣ କେନ୍ଦ୍ରରେ ଛବି ନାୟକ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ୦୪ ଜୁଲାଇ ୨୩ରେ ଇନଫୋସିଟି ଥାନା ନନ୍ଦନବିହାରରେ ଥିବା କୋଶିଷ ନିଶା ନିବାରଣ କେନ୍ଦ୍ରରେ କେନ୍ଦ୍ରାପଡା ରାଜକନିକାର ସୌମ୍ୟ ରଞ୍ଜନ ସାହୁଙ୍କ ମୃତ୍ୟୁ ହୋଇଥିଲା । ୧୦ମେ ୨୦୨୩ରେ ଭରତପୁର ଥାନା ଜିଏ ପ୍ଲଟ୍ରେ ଥିବା ଉମିଦ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରର ୫୦ ବର୍ଷୀୟ ଅରୁଣ କୁମାର ବେହେରାଙ୍କର ମୃତ୍ୟୁ ହୋଇଥିଲା । ୦୨ନଭେମ୍ବର ୨୨ରେ ଖଣ୍ଡଗିରି କୋଳଥିଆ ହାଉସିଂ ବୋର୍ଡରେ ଥିବା ନିଷ୍ଠା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ରାଜୀବ ଶ୍ରୀଚନ୍ଦନ ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର