ତୁହାକୁ ତୁହା ବର୍ଷାରେ ବୌଦ୍ଧ ବେହାଲ; ବିଭିନ୍ନ ଅଞ୍ଚଳ ଜଳମଗ୍ନ, ଘରେ ପଶିଲା ନର୍ଦ୍ଦମା ପାଣି - ବର୍ଷା ଯୋଗୁଁ ବୌଦ୍ଧରେ ବନ୍ୟା ସ୍ଥିତି
🎬 Watch Now: Feature Video
ବୌଦ୍ଧ: ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ସାଧାରଣ ଯାତାୟତ ଏକ ପ୍ରକାର ଠପ୍ ହୋଇଛି । ଡ୍ରେନେଜ ସମସ୍ୟା ଯୋଗୁଁ ସହରର ବିଭିନ୍ନ ବସ୍ତିରେ ଅପରିଷ୍କାର ପାଣି ଘରେ ପଶି ଯିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦିନ ତମାମ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିଲା । ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଥିଲା । ଯେଉଁଆଡ଼େ ଦେଖିଲେ ପାଣି ଆଉ ପାଣି । କହିବାକୁ ଗଲେ ଏକ ପ୍ରକାର କୃତ୍ରିମ ନଦୀର ଭ୍ରମ ସୃଷ୍ଟି ହେଉଥିଲା । ବିଶେଷ ଭାବରେ ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ଗୋଟିଏ ପଟରୁ ଅନ୍ୟ ପଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହପରି ସହରର ବିଭିନ୍ନ ବସ୍ତିରେ ଡ୍ରେନର ନର୍ଦ୍ଦମା ପାଣି ପଶିଛି । ବାରମ୍ବାର ଡ୍ରେନେଜ ସମସ୍ୟା ନେଇ ବସ୍ତି ବାସିନ୍ଦା ଅଭିଯୋଗ କଲେ ମଧ୍ୟ ପୌର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି ।
ସହରର ମୁସଲିମ ପଡା, ଖଦାଳସାହି, ବାବୁସାହି, ବାପୁଜୀ ନଗର, ବ୍ରାହ୍ମଣ ସାହି ,ବୁଟୁପାଲି ଭଳି କେତେକ ବସ୍ତିରେ ବର୍ଷା ପାଣି ଘରେ ପଶି ଆଣ୍ଠୁଏ ଉଚ୍ଚର ଲହଡ଼ି ଭାଙ୍ଗୁଛି । ପରିବାରକୁ ନେଇ ଲୋକେ ବିଦପସଂକୁଳ ଅବସ୍ଥାରେ ରହିଛନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତାକାଲି ମଧ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯାହାକୁ ନେଇ ତଳିଆ ଅଞ୍ଚଳର ଲୋକେ ଚିନ୍ତାରେ ପଡ଼ିଛନ୍ତି ।
ଇଟିଭି ଭାରତ, ବୌଦ୍ଧ