ପୁରୀରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ, ଦେଖିବାକୁ ଲୋକଙ୍କ ଭିଡ - ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ

🎬 Watch Now: Feature Video

thumbnail

By

Published : Apr 28, 2023, 3:51 PM IST

ପୁରୀ: ଓଡ଼ିଶାରେ ପ୍ରଥମଥର ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ l ସକାଳ ୬ ଟା ୧୦ରେ ହାଓଡ଼ାରୁ ପୁରୀ ଯାତ୍ରା କରିଥିଲା ଏହି ଟ୍ରେନ । ସାଢ଼େ ୬ ଘଣ୍ଟା ରେ ଟ୍ରେନ୍‌ଟି ପୁରୀରେ ପହଞ୍ଚିଛି । ବାଟରେ ୬ଟି ଷ୍ଟେସନ୍‌ରେ ରହଣି କରିଥିଲା । ସକାଳ ୭ଟା ୩୮ରେ ଖଡ଼ଗପୁର, ୯ଟା ୪୮ରେ ଭଦ୍ରକ, ୧୦ଟା ୨୧ରେ ଯାଜପୁର କେନ୍ଦୁଝର ରୋଡ୍‌, ୧୧ଟାରେ କଟକ, ୧୧ଟା ୨୨ରେ ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍‌ରେ ୧୧ଟା ୪୦ରେ ଦୁଇ ମିନିଟ୍‌ ଲେଖାଏଁ ଅଟକିବା ସହ ମଧ୍ୟାହ୍ନ ୧୨ଟା ୩୫ରେ ପୁରୀ ଷ୍ଟେସନରେ ପହଞ୍ଚିଥିଲା । ଫେରିବା ବାଟରେ ମଧ୍ୟ ସମ୍ପୃକ୍ତ ଷ୍ଟେସନ୍‌ଗୁଡ଼ିକରେ ରହିଛି । ଅପରାହ୍ନ ୧ଟା ୫୦ରେ ‌ବନ୍ଦେ ଭାରତ ପୁରୀରୁ ହାୱଡ଼ା ଅଭିମୁଖେ ବାହାରିଥିଲା। ଦ୍ବିତୀୟ ଟ୍ରାଏଲ୍‌ ରନ୍‌ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

ମନ୍ତ୍ରାଳୟର ସମ୍ପୃକ୍ତ ଅଧିକାରୀଙ୍କ କହିବାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ। କେବେ ନିୟମିତ ଭାବେ ଚାଲିବ, ତାହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ। ପୂର୍ବରୁ ପୁରୀରୁ ହାୱଡା ୮ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏହି ‌ଏକ୍ସପ୍ରେସ୍‌ରେ ମାତ୍ର ସାଢ଼େ ୬ଘଣ୍ଟା ଲାଗିବ। ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ କରୁଛି। ଅନ୍ୟପଟେ ଏହି ଟ୍ରେନ ପୁରୀରେ ପହଞ୍ଚିବା ପରେ ଟ୍ରେନ ଯାତ୍ରୀ ଓ ପୁରୀବାସୀଙ୍କ ମନରେ ବେସ ଉତ୍ସାହ ଦେଖାଦେଇଛି l ଶୀତତାପ ନିୟନ୍ତ୍ରିତ ବନ୍ଦେ ଭାରତ ଟ୍ରେନରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ପାଇପାରିବେ ଯାତ୍ରୀ l ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଯାତ୍ରୀମାନଙ୍କ ନିମନ୍ତେ ଏହା ଲୋକାର୍ପିତ ହେବ l ତେବେ ଏହି ଟ୍ରେନ ପୁରୀରେ ପହଞ୍ଚିବା ମାତ୍ରେ ଟ୍ରେନ ଭିତରକୁ ପ୍ରବେଶ କରି ସମସ୍ତ ସୁବିଧା ଦେଖିବା ସହ ଟ୍ରେନ ସହ ଫୋଟୋ ଉଠାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.