ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ବନ ବିଭାଗ କାର୍ଯ୍ୟାଳୟ ଘେରାଉ - ନୂଆପଡାରେ ଆଦିବାସୀଙ୍କ ବିକ୍ଷୋଭ
🎬 Watch Now: Feature Video
ନୂଆପଡା: ବିଭିନ୍ନ ଦାବି ପୂରଣ ନେଇ ଶତାଧିକ ଆଦିମ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ବିକ୍ଷୋଭ । ଜିଲ୍ଲା ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ନେତୃତ୍ବରେ ସିନାପାଲି, ଖଡ଼ିଆଳ, ବୋଡେ଼ନ ଅଞ୍ଚଳର ଶତାଧିକ ଆଦିବାସୀ ବନ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବିଭିନ୍ନ ଅଞ୍ଚଳର ଆଦିବାସୀ, ବନବାସୀ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ବିଭିନ୍ନ ସ୍ଲୋଗାନ ଦେଇ ବୋଡେ଼ନ ଗାଁ ଭ୍ରମଣ କରିଥିଲେ । ଏହାପରେ ବୋଡେ଼ନ ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ଧସେଇ ପଶି ଘେରାଉ କରିଛନ୍ତି । ସେଠାରେ ସୁରକ୍ଷା ପାଇଁ ମୁତୟନ ଥିବା ପୋଲିସ ସହିତ ଧସ୍ତାଧସ୍ତି ହେବାପରେ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ।
ତେବେ ଜଙ୍ଗଲରେ ବାସ କରୁଥିବା ଆଦିମ ଜନଜାତି ଆଦିବାସୀ, ପହରିଆ, ଜଙ୍ଗଲିଆ ଲୋକମାନଙ୍କୁ ସରକାର ଦୀର୍ଘ ବର୍ଷରୁ ଅଣଦେଖା କରିଆସୁଥିବା ନେଇ ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ଜଙ୍ଗଲ ଜମି ଆଇନ 2006 ଏବଂ ସଂଶୋଧିତ 2012 ଆଇନକୁ ସରକାର ଏବଂ ସରକାରୀ ବାବୁମାନେ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ଜଙ୍ଗଲରେ ବାସ କରୁଥିବା ଆଦିବାସୀ, ପାରମ୍ପରିକ ଜନଜାତି ପହରିଆ ତଥା ଜଙ୍ଗଲୀ ହିତାଧିକାରୀଙ୍କୁ ସରକାର ତୁରନ୍ତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ସହ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ 2006 ଏବଂ ସଂଶୋଧିତ 2012 ଆଇନକୁ ସଠିକ ଭାବରେ କାର୍ଯ୍ୟକାରୀ କରନ୍ତୁ । ସେହିପରି ଜଙ୍ଗଲରେ ଥିବା ପ୍ରତ୍ୟେକ ଗ୍ରାମକୁ ଗୋଷ୍ଠୀ ସମ୍ବଳ ଅଧିକାର ପ୍ରଦାନ କରିବା ସହ ପ୍ରତ୍ୟେକ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନେଇ ଦାବି କରିଛନ୍ତି ଗ୍ରାମବାସୀ। । ସେହିଭଳି ଯୁଗଯୁଗ ଧରି ପହରିଆ ଜନଜାତି ଜଙ୍ଗଲରେ ବାସ କରିଥାଆନ୍ତି । ଜଙ୍ଗଲର ଫୁଲ ଫଳ ଖାଇ ଜୀବିକା ନିର୍ବାହ କରିଥାନ୍ତି । ସେହି ଜାତି ପ୍ରତି ସରକାର ଅନ୍ୟାୟ କରିଥିବା ବେଳେ ତୁରନ୍ତ ଏହି ସମ୍ପ୍ରଦାୟର ଲୋକଙ୍କୁ ଆଦିବାସୀ ମାନ୍ୟତା ଦିଆଯିବାକୁ ଦାବି କରିଛନ୍ତି । ତେବେ ଏଭଳି 8 ଦଫା ଦାବି ନେଇ ସ୍ଥାନୀୟ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରେରଣ କରିଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକ । ଅନ୍ୟପଟେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ ।
ଇଟିଭି ଭାରତ, ନୂଆପଡା