ଶ୍ରାବଣ ମାସର ପ୍ରଥମ ସୋମବାର: ବୌଦ୍ଧରେ ଜଳଲାଗି କଲେ କାଉଡିଆ - ବୌଦ୍ଧରେ କାଉଡିଆଙ୍କ ଭିଡ
🎬 Watch Now: Feature Video
ବୌଦ୍ଧ: ବୋଲ ବମ, ହର ହର ବମ । ଏହିପରି ଶିବ ଧ୍ୱନିରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମହାଦେବଙ୍କ ଆରାଧନା ପାଇଁ କାହିଁ କେତେ ବାଟ ଅତିକ୍ରମ କରି ବିଭିନ୍ନ ଶୈବପୀଠରେ ପହଞ୍ଚୁଛନ୍ତି କାଉଡ଼ିଆ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ଚଳଚଞ୍ଚଳ ଶୈବପୀଠ । ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି ନିମନ୍ତେ କାଉଡିଆଙ୍କ ଭିଡ। ଜିଲ୍ଲାରେ ଥିବା ଐତିହାସିକ ତଥା ପ୍ରାଚୀନ କୀର୍ତ୍ତିରାଜି ଶୈବପୀଠ ଗନ୍ଧରାଡିର ହରିହର ମନ୍ଦିର ଓ ବୌଦ୍ଧର ରାମେଶ୍ୱର ମନ୍ଦିରରେ କାଉଡିଆମାନେ ଭୋଳାନାଥଙ୍କ ନିକଟରେ ଜଳଲାଗି ନିମନ୍ତେ ବହୁ ଦୂରଦୂରାନ୍ତରୁ ଆସିଥିବା ଦେଖିବାକୁ ମିଳିଛି । ଶତାଧିକ ଶୈବପୀଠରେ ଆଜି ଠାକୁରଙ୍କ ନିକଟରେ ଜଳଲାଗି ନିମନ୍ତେ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ରାମେଶ୍ୱର ମନ୍ଦିର ଠାରେ ବିଦେଶାଗତ ପର୍ଯ୍ୟଟକ ଯଥେଷ୍ଟ ପୂର୍ବରୁ ପହଞ୍ଚି ଏହାର ଐତିହ୍ୟ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । କାରଣ ମନ୍ଦିରର ନିର୍ମାଣ ଶୈଳୀ ଓ ନାଲି ପଥର ଉପରେ ଏହାର ସୁକ୍ଷ୍ମ କାରୁକାର୍ଯ୍ୟ ଏହି ବିଦେଶାଗତଙ୍କ ମୁଖ୍ୟ ଆକର୍ଷଣ ହୋଇଥିଲା । ସେହିପରି ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ବୌଦ୍ଧର ମହାନଦୀ କୂଳରେ ଥିବା ଚନ୍ଦ୍ରଚୂଡ଼ ମନ୍ଦିରରେ ବ୍ରାହ୍ମଣ ସମାଜ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନିକଟସ୍ଥ ମହାନଦୀର ଆଳତୀ ଘାଟରୁ ବ୍ରାହ୍ମଣମାନେ 108 କଳସ ଜଳ ଆଣି ଭୋଳାନାଥଙ୍କ ନିକଟରେ ଜଳାଭିଷେକ କରିଛନ୍ତି । ପ୍ରଥମ ସୋମବାର ଅବସରରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କାଉଡିଆମାନେ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାଦେବ ମନ୍ଦିରରେ ପହଞ୍ଚି ଠାକୁରଙ୍କ ନିକଟରେ ଜଳଲାଗି କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ