ସିମେଣ୍ଟ ଦାଣ୍ଡରେ ହଜିଗଲାଣି ପ୍ରାଚୀନ ଖେଳ, ପିଲାଙ୍କୁ ନିଃସଙ୍ଗ କରାଉଛି ମୋବାଇଲ - ପାଶ୍ଚାତ୍ୟ ସଂସ୍କୃତି ପାଇଁ ଲୋପ ପାଇଛି ପ୍ରାଚୀନ ଖେଳ
🎬 Watch Now: Feature Video


Published : Aug 24, 2023, 7:10 PM IST
ଖୋର୍ଦ୍ଧା : ଖେଳ ମନ ଓ ଶରୀରକୁ ସୁସ୍ଥ ରଖିଥାଏ । ବିଶେଷ କରି ପିଲାଙ୍କ ଶାରିରୀକ ଏବଂ ବୌଦ୍ଧିକ ବିକାଶରେ ଏହା ସହାୟକ ହୋଇଥାଏ । ହେଲେ ଅତୀତରେ ଲୋକପ୍ରିୟତା ଅର୍ଜନ କରିଥିବା ଅନେକ ଗ୍ରାମୀଣ ଖେଳ ବର୍ତ୍ତମାନ ଲୋପ ପାଇବାକୁ ବସିଛି। ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ, ସମୟ ଏବଂ ଉପଯୁକ୍ତ ଭିତ୍ତିଭୂମି ଅଭାବ ଯୋଗୁଁ ଅତୀତରେ ଲୋକପ୍ରିୟତା ଅର୍ଜନ କରିଥିବା ଅନେକ ଗ୍ରାମୀଣ ଖେଳ ଏବେ ଏକ ପ୍ରକାର ଲୁପ୍ତ ହେବାକୁ ବସିଲାଣି । ରାଜଦରବାର ଠାରୁ ବିଭିନ୍ନ ଗାଁରେ ପୂର୍ବରୁ ଅନେକ କ୍ରୀଡ଼ା ପ୍ରେମୀଙ୍କ ମନୋରଞ୍ଜନ କରୁଥିଲା ପଶା ଖେଳ। ହେଲେ ଏହି ପ୍ରାଚୀନ ଲୋକପ୍ରିୟ ଖେଳ ଏବେ ପୂର୍ବଭଳି ଦେଖାଯାଉନାହିଁ ।
ପିଲାଙ୍କୁ ପୂର୍ବଭଳି ଆଉ ଖେଳିବାକୁ ସମୟ ନମିଳିବା କାରଣରୁ ଏସବୁ ପାରମ୍ପରିକ ଖେଳ ଏକ ପ୍ରକାର ଲୋପ ପାଇଯାଇଥିବା କୁହାଯାଉଛି । ପୂର୍ବରୁ ଗାଁ ଦାଣ୍ଡରେ ଝିଅଙ୍କ ପୁଚି, କବାଡ଼ି, ବୋହୁ ଚୋରି ଖେଳ ଦେଖିବାକୁ ମିଳୁଥିଲା। ସେହିପରି ପୁଅମାନେ ଲୁଡୁ, ପଶା, ବାଡ଼ିଡ଼ିଆଁ, ଡ଼ାଳ ମାଙ୍କୁଡ଼ି, କୁଆବାଡ଼ି, ବାଟି ଖେଳ, ପତାଖେଳ, ଲୁଚକାଳି ଖେଳ ଆଦି ଖେଳୁଥିଲେ । ଘର ଭିତରେ ମହିଳାମାନେ ଛକିଶୂନ, କାଚକଉଡ଼ି , ଲୁଡୁପାଲି , ବାଘଛେଳି ପ୍ରଭୃତି ଖେଳ ଖେଳି ମନୋରଞ୍ଜନ କରୁଥିଲେ । ମାତ୍ର ଏବେ ଏସବୁ ଖେଳ ଏକପ୍ରକାର ଲୋପ ପାଇ ଯାଇଛି। ସେପଟେ ଗ୍ରାମାଞ୍ଚଳର ଖେଳ ହଜିଯିବାର ପ୍ରମୁଖ କାରଣ ହେଉଛି ମୋବାଇଲ । ବର୍ତ୍ତମାନ ସମୟରେ ମୋବାଇଲ ପାଇଁ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ମଧ୍ୟ କାହାରି ପକ୍ଷେ ସମ୍ଭବ ହେଉନଥିବା ଦେଖିବାକୁ ମିଳୁଛି।
ଏହା ମଧ୍ୟ ପଢନ୍ତୁ...ସିଲଭର ସିଟିକୁ ଫେରିଲା ସର୍କସ୍; ହସେଇ ହସେଇ ଗଡ଼ାଉଛି ଜୋକର, ମନ କିିଣିଲା ମଣିପୁର ଯୁବତୀଙ୍କ ଦୁଃସାହସିକ ପ୍ରଦର୍ଶନ
ସମୟର ପରିବର୍ତ୍ତନ ସହିତ ପାଶ୍ଚାତ୍ୟ ସଂସ୍କୃତି ଏବଂ ଆଧୁନିକତାର ପ୍ରଭାବ ଜନସାଧାରଣଙ୍କ ସାମୂହିକ ମାନସିକତାରେ ପରିବର୍ତ୍ତନ ଆଣିଥିବାରୁ ଓଡ଼ିଶାର ଏହି ଉତ୍କର୍ଷ ଲୋକକ୍ରୀଡ଼ା ଲୋପ ପାଇବାରେ ଲାଗିଛି । ତେଣୁ ଗ୍ରାମ୍ୟ ଜୀବନକୁ ସମୃଦ୍ଧ କରି ଆସିଥିବା ଏସବୁ ଗ୍ରାମୀଣ କ୍ରୀଡ଼ାକୁ ପୁନଃ ଉଜ୍ଜୀବିତ କରିବାର ଆବଶ୍ୟକତା ରହିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା