thumbnail

ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ସିଂହଦ୍ୱାରରେ ଲାଗିଲା ତିନି ରଥ

By

Published : Jun 19, 2023, 9:37 PM IST

Updated : Jun 19, 2023, 9:47 PM IST

ପୁରୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯିବେ ମହାପ୍ରଭୁ । ସିଂହାସନ ଛାଡ଼ି ରଥରେ ବିଜେ କରିବେ । ଏଥିପାଇଁ ରଥ ପ୍ରସ୍ତୁତ... ପଥ ବି ପ୍ରସ୍ତୁତ... ମହାପ୍ରଭୁଙ୍କ ନେତ୍ରୋତ୍ସବରେ ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି । ଆଜ୍ଞା ମାଳ ଆସିବା ପରେ ରଥ ଖଳାରୁ ତିନି ରଥକୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖକୁ ନିଆଯାଇଛି । ମହାପ୍ରଭୁଙ୍କ ସକାଳ ଧୂପ ନୀତି ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିଥିଲା । ଘଣ୍ଟ, କାହାଳୀ, ପାରମ୍ପରିକ ବାଦ୍ୟରେ ପରିବେଶ ପ୍ରକମ୍ପିତ ହୋଇଥିଲା । ଆଜ୍ଞା ମାଳ ତିନି ରଥରେ ଲାଗି ପରେ ରଥଟଣା ଆରମ୍ଭ ହୋଇଥଲା । 

ପୋଲିସ ଓ ବିଭିନ୍ନ ସୁରକ୍ଷାକର୍ମୀ ତିନି ରଥକୁ ଟାଣି ନେଇ ଶ୍ରୀମନ୍ଦିର ସମ୍ମୁଖରେ ଲଗାଇଛନ୍ତି । ଏହି ଦୃଶ୍ୟ ଦେଖିବାକୁ ବଡ ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ସେପଟେ ଆସନ୍ତାକାଲି ରଥଯାତ୍ରା ପାଇଁ ପୋଲିସ ଡିଜି ସୁନିଲ ବଂଶଲ ସ୍ଥିତି ସମୀକ୍ଷା କରିଛନ୍ତି । ଯେଉଁ ଅଧିକାରୀଙ୍କୁ ଯାହା ଦାୟିତ୍ଵ ଦିଆଯାଇଛି ସେମାନେ ସଠିକ ଭାବେ ପାଳନ କରୁଛନ୍ତି ବୋଲି ପୋଲିସ ଡିଜି କହିଛନ୍ତି । ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । 

ପ୍ରବଳ ଗରମ ଗୁଳୁଗୁଳି ପାଇଁ ଭକ୍ତଙ୍କ ପାଇଁ ଜଳ ସିଞ୍ଚନର ବ୍ୟବସ୍ଥା ହୋଇଛି । ସେହିପରି ବଡଦାଣ୍ଡରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । କୌଣସି ଅସୁବିଧା ମୁକାବିଲା ପାଇଁ ଆମ୍ବୁଲାନ୍ସ ଓ ସ୍ୱେଚ୍ଛାସବୀଙ୍କୁ ମୁତୟନ କରଯାଇଛି । ସେପଟେ ଖରା ଯୋଗୁଁ ନୀତିକାନ୍ତି ଶୀଘ୍ର କରାଯିବାର ଯୋଜନା ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । 
  

ଇଟିଭି ଭାରତ, ପୁରୀ 

Last Updated : Jun 19, 2023, 9:47 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.