ବେପରୁଆ ଗାଡି ଚାଳନା ଯୋଗୁ ଚାଲିଗଲା 2 ଜୀବନ, ସିସିଟିଭିରେ କଏଦ ହେଲା ଦୃଶ୍ୟ - ବାଇକ ଉପରକୁ ମାଡିଗଲା ବସ
🎬 Watch Now: Feature Video
ହାଇଦ୍ରାବାଦ: ପ୍ରତିଦିନ ବିଭିନ୍ନ ସ୍ଥାନରୁ ସଡକ ଦୁର୍ଘଟଣାର ଖବର ନଜରକୁ ଆସୁଛି। ତଥାପି ଲୋକଙ୍କ ଭିତରେ ସଚେତନତାର ଅଭାବ କାରଣରୁ ଅନେକ ଦୁର୍ଘଟଣା ଘଟିବା ସହ ନୀରିହ ଜୀବନ ବି ଯାଉଛି। ମୁଖ୍ୟତଃ ବେପରୁଆ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚଳାଇବା, ଦ୍ରୁତ ଗତିରେ ଗାଡି ଚଳାଇବା ତଥା ଟ୍ରାଫିକ ନିୟମ ଉଲଂଘନ କାରଣରୁ ଅନେକଙ୍କ ଜୀବନ ଯାଉଛି । ଏହିପରି ଏକ ଦୁର୍ଘଟଣା ଘଟିଛି ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ।
ଗୋଟିଏ ବସ୍ ଆସୁଥିବାବେଳେ ବାଇକ ଯୋଗେ ରାସ୍ତା ପାର୍ ହେବା ପାଇଁ ଉଦ୍ୟମ କରିଥିଲେ ଜଣେ ବ୍ୟକ୍ତି । ଆଉ ବସଟି ଦ୍ରୁତ ଗତିରେ ଆସୁଥିବାରୁ ବାଇକ ଉପରକୁ ମାଡି ଯାଇଥିଲା । କାରଣ ସବ୍ ରୋଡ୍ରୁ ବାଇକ ଆସୁଥିବା ଲକ୍ଷ୍ୟ କରି ପାରିନଥିଲେ ଡ୍ରାଇଭର। କିଛି ବାଟ ଯିବା ପରେ ବସଟି ଅଟିକିଥିଲା । ହେଲେ ସେତେବେଳକୁ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ସମେତ ଗାଡ଼ିରେ ବସିଥିବା ତାଙ୍କର ଦୁଇ ସନ୍ତାନ ଏବଂ ପତ୍ନୀ ଗଭୀର ଭାବେ ଆଘାତ ହୋଇଥିଲେ ।
ପରବର୍ତ୍ତୀ ସମୟରେ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ଡାକ୍ତର 2 ଜଣଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଭୟଙ୍କର ଦୁର୍ଘଟଣା ସମୟର ଭିଡିଓ ନିକଟରେ ଥିବା ଏକ ସିସିଟିଭିରେ କଏଦ ହୋଇଥିବାବେଳେ ତାହା ଭାଇରାଲ ହୋଇଛି । ଅପରପକ୍ଷେ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ 2ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି ।