Train Accident: କୋଚ ବଦଳାଇବାରୁ ବର୍ତ୍ତିଗଲା ପୁରା ପରିବାର... - ଅଳ୍ପକେ ବର୍ତ୍ତିଗଲେ ପରିବାର
🎬 Watch Now: Feature Video
ବ୍ରହ୍ମପୁର: ଖଡଗପୁରରୁ ବ୍ରହ୍ମପୁରକୁ କରମଣ୍ଡଳ ଏକ୍ସପ୍ରେସରେ ଆସୁଥିଲେ ପୁରା ପରିବାର । ବାପାମାଆଙ୍କ ରହିଥିଲା ବି-୨ରେ ସିଟ୍ ଏବଂ ପୁଅର ରହିଥିଲା ବି-୮ରେ । ହେଲେ କୋଚ ବଦଳାଇ ବାପା ମାଆଙ୍କ ପାଖକୁ ଆସିଯାଇଥିଲେ ପୁଅ । ଏହାରି ମଧ୍ୟରେ ପରିବାର ବର୍ଗ ଖାଇବା ପାଇଁ ଅର୍ଡର କରି ଆଲୋଚନା କରୁଥିବା ବେଳେ ଘଟିଯାଇଥିଲା ଭୟଙ୍କର ରେଳ ଦୁର୍ଘଟଣା । ଯଦି ସେମାନେ କୋଚ ନ ବଦଳାଇଥାନ୍ତେ ତେବେ ହୁଏତ ଦୁର୍ଘଟଣାର ଶିକାର ହୋଇଥାନ୍ତେ । ହେଲେ ଭଗବାନଙ୍କ କୃପାରୁ ସେମାନେ ଏହି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ । ରେଳ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଅଞ୍ଚଳର ଏଜିକେଲ୍ ଦାସଙ୍କ ପରିବାର ଘରକୁ ଫେରିବା ପରେ ସେହି କାଳରାତ୍ରର ଲୋମଟାଙ୍ଗୁରା ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି ।
ଗୋଷାଣିନୂଆଗାଁ ଅଞ୍ଚଳର ବ୍ୟବସାୟୀ ଏଜିକେଲ୍ ଦାସ ତାଙ୍କ ପତ୍ନୀ ସୁମିତା ଏବଂ ପୁଅ ଜାକୋବ୍ ମିଳିତ ଭାବରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଖଡଗପୁର ଅଭିମୁଖେ ଯାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଶେଷ ପରେ ସମସ୍ତେ କରମଣ୍ଡଳ ଏକ୍ସପ୍ରେସରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ । ଏଜିକେଲ ଦାସ ତାଙ୍କ ପତ୍ନୀ ସୁମିତାଙ୍କର କରମଣ୍ଡଳ ଏକ୍ସପ୍ରେସର ବି-୨ରେ ରହିଥିବା ବେଳେ ପୁଅ ଜାକୋବର ରହିଥିଲା ବି-୮ରେ । ହେଲେ ସମସ୍ତେ ବି-୨ରେ ବସିବା ପାଇଁ ନିଷ୍ପତ୍ତି ନେଇ ପୁଅ ତାର ନିର୍ଦ୍ଧାରିତ ସିଟକୁ ଯିବ କି ନାହିଁ ତାହାକୁ ନେଇ ପରିବାର ବର୍ଗ ଆଲୋଚନା କରୁଥିଲା । ଏହାର କିଛି ସମୟ ପରେ ଘଟିଥିଲା ଭୟଙ୍କର ଦୁର୍ଘଟଣା ।
ଇଟିଭି ଭାରତ, ବ୍ରହ୍ମପୁର