ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନ, ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମାଆ - ଭଦ୍ରକ ଖବର

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 15, 2023, 5:23 PM IST


ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ବେଶ ଅନୁଷ୍ଠିତ ହୋଇଛି। ଶାନ୍ତ ସ୍ଵରୂପା ମାଆ ଭଦ୍ରକାଳୀ ଆଜି ସିଂହବାହିନୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମାଆ ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ପାଇଁ କାଳୀ ପୂଜା ଠାରୁ ସାତ ଦିନ ଧରି ମାଆ ଭଦ୍ରକାଳୀ ସପ୍ତମାତୃକା ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଳିପୂଜା ଠାରୁ ମାଆ ଭଦ୍ରକାଳୀଙ୍କ ପୀଠରେ ଏହି ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି । ସାତ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଆଜି ଚତୁର୍ଥ ଦିନରେ(ବୁଧବାର) ମାଆ ସିଂହବାହିନୀ ବେଶରେ ପୂଜା ପାଉଛନ୍ତି । ଏହି ଅବସରରେ ମାଆଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି । ଆଜି ସକାଳେ ମାଆଙ୍କୁ ବେଶ କରାଯିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ସହିତ ଦ୍ଵାର ଫିଟା ଯାଇଥିଲା । ପରେ ବେଦବିତ୍ ବ୍ରାହ୍ମଣମାନଙ୍କ ଦ୍ଵାରା ବେଦ ପାଠ କରାଯାଇଥିଲା । ଏଥିସହ ସ୍ଵତନ୍ତ୍ର ନୀତିକାନ୍ତି ସହ ମାଆଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ମା' ତାଙ୍କ ବାହନ ସିଂହ ଉପରେ ଗୋଲାପି ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ସେହିପରି ଗୋଲାପି ମୁଖମଣ୍ଡଳ ସହ ଚାରି ହସ୍ତରେ ଖଡ୍ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟ ହୋଇ ମାଆ ଭଦ୍ରକାଳୀ ତ୍ରିଶୂଳରେ ଅସୁର ବଦ୍ଧ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ..ହିମାଚଳରେ ଅଜବ ପରମ୍ପରା, ଦୀପାବଳି ପରଦିନ କରାଯାଏ ପଥରମାଡ଼

ଆସୁରିକ ଶକ୍ତିର ସମାପ୍ତି ପାଇଁ ମାଆ ଏହି ଅବତାର ଧାରଣ କରିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ମାଆଙ୍କର ଏହି ସିଂହବାହିନୀ ବେଶକୁ ଦର୍ଶନ କଲେ ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଆପଦ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ମାଆଙ୍କୁ ଦର୍ଶନ କରି କରୁଣା ଭିକ୍ଷା କରିବା କରିବା ସହ ସାନ୍ନିଧ୍ୟ ଲାଭ କରିବା ପାଇଁ ବହୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି । ତେବେ ଆଜି ଚତୁର୍ଥ ବେଶ ସିଂହବାହିନୀ ବେଶ ପରେ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଅର୍ଥାତ୍ ଆସନ୍ତା କାଲି ମାଆ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇବେ । ଏହାପରେ ଷଷ୍ଠ ଦିବସରେ ମାଆ ସରସ୍ଵତୀ ଏବଂ ଶେଷ ଦିନରେ ମାଆ ମହାଲକ୍ଷ୍ମୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ମାଆ ଭଦ୍ରକାଳୀ ।
 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.