ବାଲୁକା କଳାରେ ମାତୃ ଦିବସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସତ୍ୟ
🎬 Watch Now: Feature Video
ବ୍ରହ୍ମପୁର: ମାଆ... ପାଟିରେ ଏହି ଶବ୍ଦ ଉଚ୍ଚାରଣ କଲେ ଦୂର ହୁଏ ଦୁନିଆ ଯାକର ଦୁଃଖ । ସୀମା ହୀନ ତାର ସ୍ନେହ, ମମତା । ଆକାଶ ଠାରୁ ଉଦାର ଯାହାର ହୃଦୟ ଓ ମାଟି ମାଆ ପରି କୋଳେଇ ନେବା ଯାହାର ଆଦର ସେ ହେଉଛି ମାଆ । ମାଆର ପଣତ ସନ୍ତାନ ପାଇଁ ସୁରକ୍ଷା କବଚ । ନିଃସ୍ବାର୍ଥପର ଭଲପାଇବାର ଭଣ୍ଡାର ହେଉଛି ମାଆ । ସବୁ ଦିନ ନିଜ ସନ୍ତାନ ପାଖରେ ଛାଇ ପରି ରହିଥାଏ ମାଆ । ମାଆର ଦାନ ଓ ତ୍ୟାଗକୁ ମନେ ପକାଇ ପ୍ରତି ବର୍ଷ ଆଜିର ଦିନରେ ପାଳନ ହୁଏ ବିଶ୍ବ ମାତୃ ଦିବସ ।
ଏହି ଅବସରରେ ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ବାଲୁକା କଳା ମାଧ୍ୟମରେ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଗୋପାଳପୁର ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା କଳା ତିଆରି କରିଛନ୍ତି । ମାଆ ତାର ଶିଶୁକୁ କୋଳାଇ ନେବାର ଦୃଶ୍ୟକୁ ବାଲୁକା କଳାରେ ଦର୍ଶାଇଛନ୍ତି ସତ୍ୟ ନାରାୟଣ । ସନ୍ତାନର ସଫଳତା ପଛରେ ମାଆର ଭୂମିକା ବେଶ ଗୁରୁତ୍ବବହନ କରେ ।
ମାଆ ବିନା ପ୍ରତ୍ୟେକ ସନ୍ତାନର ଜୀବନ ମୂଲ୍ୟହୀନ । ଅନେକ ସମୟରେ ଦେଖିବାକୁ ମିଳେ ଶିଶୁଟିଏ ବଡ ହେବା ପରେ ମାଆର ସ୍ନେହ ମମତାର ମୂଲ୍ୟକୁ ବୁଝି ପାରିନଥାଏ । ଯାହାକି ଅତ୍ୟନ୍ତ ଦୁଃଖଦାୟକ । ଯାହାକୁ ନିଜର କଳା ମାଧ୍ୟମରେ ଦର୍ଶାଇଛନ୍ତି ଯୁବ ଶିଳ୍ପୀ ଜଣଙ୍କ । ମାଆ ପ୍ରତି ସନ୍ତାନର ରହିଥିବା ଭଲ ପାଇବା ସହ ଉତ୍ତର ଦାୟିତ୍ବକୁ ବୃଦ୍ଧି କରିବାକୁ ଏହି କଳା ମାଧ୍ୟମରେ ଆହ୍ବାନ କରିଛନ୍ତି ସତ୍ୟ । ମାଆ ସହିତ ସମାଜରେ ସମସ୍ତେ ମିଳିତ ଭାବରେ ଧରିତ୍ରୀ ମାଆର ସୁରକ୍ଷା ପାଇଁ ବୃକ୍ଷରୋପଣ ଆବଶ୍ୟକ ବୋଲି ସ୍ୟାଣ୍ତ ଆନିମେସନରେ ସେ ବାର୍ତ୍ତା ଦେଇଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର