Watch: 'ଜହ୍ନମାମୁଁ ଘରେ ଚକାଭଉଁରି ଖେଳୁଛି ପ୍ରଜ୍ଞାନ, ଶ୍ରଦ୍ଧାର ସହ ଦେଖୁଛି ପୃଥିବୀ ମାଆ'

By ETV Bharat Odisha Team

Published : Aug 31, 2023, 10:22 PM IST

thumbnail

ବେଙ୍ଗାଲୁରୁ: ଜହ୍ନମାମୁଁ ଘରେ ଘିରି ଘିରି ହୋଇ ବୁଲୁଛି ରୋଭର ପ୍ରଜ୍ଞାନ । ଆଉ ଏହି ଦୃଶ୍ୟକୁ ଅତି ଶ୍ରଦ୍ଧାର ସହିତ ଦେଖୁଛି ମଦର ଅର୍ଥ ବା ପୃଥିବୀ ମାଆ । ଯେପରି ଛୋଟ ପିଲାଟିଏ ମାମୁ ଘରକୁ ଗଲେ ଖୁସିର ସହିତ ଖେଳକୁଦ କରିଥାଏ, ଠିକ ସେହିପରି ରୋଭର ପ୍ରଜ୍ଞାନ ଜହ୍ନମାମୁଁ (ଚନ୍ଦ୍ରପୃଷ୍ଠ) ଘରକୁ ଯାଇ ବୁଲି ବୁଲି ଖେଳୁଥିବା ପ୍ରତୀୟମାନ ହେଉଛି । ଆଉ ପୃଥିବୀବାସୀ ଏହାକୁ ଅତି ଶ୍ରଦ୍ଧାର ସହ ଉପଭୋଗ କରୁଛନ୍ତି । ଲୋକକଥା ଅନୁସାରେ ଜହ୍ନକୁ ଜହ୍ନମାମୁଁ ବୋଲି କୁହାଯାଏ । ପ୍ରତିଟି ପିଲାକୁ ଛୋଟ ବେଳୁ ଏହି କଥା କହିଥାଏ ତାର ମାଆ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠକୁ ଯିବା ଯେପରି ମାମୁଘରକୁ ଯିବା ପରି ମନେ ହେଉଛି । ଏ ନେଇ ଇସ୍ରୋ ପକ୍ଷରୁ ମଜାଳିଆ ଟ୍ବିଟ ମଧ୍ୟ ହେଉଛି । ତେବେ ଆଜି (ଅଗଷ୍ଟ ୩୧) ତାରିଖରେ ଚନ୍ଦ୍ରପୃଷ୍ଠରୁ ପୁଣି ଆସିଛି ଏକ ଏକ୍ସଲ୍ୟୁସିଭ ଭିଡିଓ । ଯେଉଁଥିରେ ସୁରକ୍ଷିତ ସ୍ଥାନ ଖୋଜିବା ଲାଗି ଚକ୍ରାକାର ଗତିରେ ବୁଲୁଛି ପ୍ରଜ୍ଞାନ । ଯାହାକୁ ନେଇ ଏପରି କାହାଣୀଟିଏ ରଚିଛି ଇସ୍ରୋ । ଯାହାକୁ ଖୁବ ଭଲ ଭାବେ ଭାରତୀୟ ବୁଝିପାରିବା ସହ ଚନ୍ଦ୍ର ସହିତ ଏକ ନିଆରା ସଂଯୋଗ, ସମ୍ପର୍କକୁ ଅନୁଭବ କରିଛନ୍ତି । ସୂଚନା ଥାଉ କି ଅଗଷ୍ଟ ୨୩ ତାରିଖରେ ବିକ୍ରମ ଲ୍ୟାଣ୍ଡରରୁ ପୃଥକ ହୋଇ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଭିନ୍ନ ପ୍ରକାର ଗବେଷଣା କରୁଛି । ଏହାରି ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରେରଣ କରିଛି ରୋଭର । ଅଗଷ୍ଟ ୨୩ ତାରିଖଠାରୁ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଏପରି ଗବେଷଣା କରିବ ରୋଭର ପ୍ରଜ୍ଞାନ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.