ଚିଲିକା ନୀଳ ଜଳରାଶିରେ ନିଆରା ଘୋଷଯାତ୍ରା, ଡଙ୍ଗା ପାଲଟିଲା ନନ୍ଦିଘୋଷ ରଥ - ନନ୍ଦିଘୋଷ ରଥ ପାଲଟିଲା ଡଙ୍ଗା
🎬 Watch Now: Feature Video
ଖୋର୍ଦ୍ଧା: ବଡ଼ଦାଣ୍ଡ ପାଲଟିଲା ଚିଲିକାର ନୀଳ ଜଳରାଶି । ନନ୍ଦିଘୋଷ ରଥ ପାଲଟିଲା ଡଙ୍ଗା । ଚିଲିକା ଭିତରେ ଡଙ୍ଗାରେ ବସି ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କୁହାଯାଉଥିବା କାଙ୍କଣ ଶିଖରରେ ଭକ୍ତ ଦେଖିଛନ୍ତି ନିଆରା ଢଙ୍ଗରେ ଘୋଷଯାତ୍ରା । ଖୋର୍ଦ୍ଧ ଜିଲ୍ଲା ନଇରି ଗାଁ ନିକଟ ଚିଲିକା ହ୍ରଦର ଜଳରାଶିରେ ଏକ ଟାପୁ ରହିଛି । ଯାହାର ନାଁ କାଙ୍କଣ ଶିଖରୀ । ଏହା ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ । ଏହି ସ୍ଥାନ ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ଲିଳାକ୍ଷେତ୍ର ଭାବେ ପରିଚିତ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏଠାରେ ନିଆରା ଢଙ୍ଗରେ ରଥଯାତ୍ରା ଅନୁଷ୍ଠିତ ହୋଇଛି ।
ଏଠାରେ ବଡ଼ଦାଣ୍ଡ ପାଲଟେ ଚିଲିକାର ନୀଳ ଜଳରାଶି ଆଉ ନନ୍ଦିଘୋଷ ପାଲଟେ ଡଙ୍ଗା । ଘଣ୍ଟା ଘଣ୍ଟା ଖୋଳ ତାଳରେ ଲୀଳା କ୍ଷେତ୍ରକୁ ପରିକ୍ରମା କରନ୍ତି ଇଚ୍ଛାମୟ । ଏପରି ରଥଯାତ୍ରା ବିଶ୍ବରେ ନିଆରା । କିମ୍ବଦନ୍ତୀ କୁହେ ମୋଗଲ ସମ୍ରାଟ ତକି ଖାଁ ଯେତେବେଳେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲେ ସେତେବେଳେ ଦଇତାପତିମାନେ ପ୍ରଭୁ ଜଗନ୍ନାଥଙ୍କୁ ପାରିକୁଦର ଗୁରୁବାଇକୁ ନେଇଥିଲେ । ସେଠାରେ ଗୋଟିଏ ରାତି ରହିବା ପରେ ନଇରୀ ନିକଟ ଏକ କୁଦରେ ରଖିଥିଲେ । ସେଠାରେ ଭୋଗ ଲାଗି ପାଇଁ କୌଣସି ସୁବିଧା ନଥିଲା । କେବଳ କାଙ୍କଡ଼ ଫଳ ବ୍ୟତୀତ ଅନ୍ୟ କିଛି ନଥିଲା । ତେଣୁ ସେଠାରେ କାଙ୍କଡ଼ ଭୋଗ ଲାଗି ହେଉଥିଲା । ସେବେଠାରୁ ଏହି ସ୍ଥାନରୁ ଶ୍ରୀମନ୍ଦିରକୁ କାଙ୍କଣ ଯାଇଥାଏ ।
ଏହା ବି ପଢନ୍ତୁ- Ratha Yatra 2023: ଖରାକୁ ନାହିଁ ଖାତିର, ବଡଦାଣ୍ଡରେ ବିଶ୍ବନିୟନ୍ତାଙ୍କୁ ଦେଖି ନାଚୁଛି ଭକ୍ତ ମନ
ଏଥିପାଇଁ ଏକ ସ୍ବତନ୍ତ୍ର ପରିବାରକୁ ନିଯୋଗ କରାଯାଇଛି । ପରବର୍ତ୍ତୀ ମୁହୂର୍ତ୍ତରେ ଜଣେ ସ୍ଥାନୀୟ ଭକ୍ତଙ୍କୁ ସ୍ବପ୍ନାଦେଶ ହେବାପରେ ଜଗନ୍ନାଥଙ୍କ ନିଟକରୁ ଏକ ରଥ ଚକ ଆଣି ଏଠାରେ ପୂଜାର୍ଚ୍ଚନା କରାଯାଉଛି । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଗଜପତି ମହାରାଜା ମଧ୍ୟ ଏହି ସ୍ଥାନକୁ ଆସିଛନ୍ତି । ଏହି ସ୍ଥାନଟି କାଙ୍କଣ ଶିଖରୀ ନାମରେ ପରିଚିତ । ଏଠାରେ ଜଗନ୍ନାଥଙ୍କ ପ୍ରତ୍ୟେକ ରୀତିନୀତି କରାଯାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଏଠାରେ ମଧ୍ୟ ପୁରୀ ଭଳି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ହୋଇଥାଏ ।
ଇଟିଭି ଭାରତ, ଖୋର୍ଦ୍ଧା