ରାଇରଙ୍ଗପୁରରେ ଘୋଷଯାତ୍ରା ପାଳିତ: ରଥାରୂଢ ଠାକୁରଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଟୁଡୁ - ରାଇରଙ୍ଗପୁର ରଥଯାତ୍ରା
🎬 Watch Now: Feature Video
ରାଇରଙ୍ଗପୁର: ପବିତ୍ର ଘୋଷଯାତ୍ରା ଅବସରରେ ରାଇରଙ୍ଗପୁର ସହରରେ ମହାପ୍ରଭୁଙ୍କ ରଥଟଣା ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଛାଡି ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀମନ୍ଦିରରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ନୀତିକାନ୍ତି ସହ ତିନି ଠାକୁର ଧାଡି ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ । ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ରାଇରଙ୍ଗପୁର ନଗରପାଳଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମାପନ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ଜମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବୀନ୍ଦ୍ର ଗୁପ୍ତା ରଥାରଢ଼ ଶ୍ରୀଜିଉଙ୍କ ଦର୍ଶନ ଲାଭ କରି ଜଗତର ମଙ୍ଗଳ କାମନା କରିଥିଲେ । ଜନସମୁଦ୍ର ପାଲଟିଥିଲା ରାଇରଙ୍ଗପୁର ବଡଦାଣ୍ଡ ।
ବର୍ଷକ ପରେ ପାଖରେ ମହାପ୍ରଭୁଙ୍କ ପାଇ ଭାବବିହ୍ବଳ ହୋଇଯାଇଥିଲେ ଭକ୍ତ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ନାଦରେ କମ୍ପି ଉଠିଥିଲା ଗଗନପବନ । ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ । ଭକ୍ତମାନେ ଭାବର ଠାକୁର ପ୍ରଭୁ ଜଗନ୍ନାଥଙ୍କ ସହ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଦର୍ଶନ କରି କୃତାର୍ଥ ହୋଇଥିଲେ । ଭାବ ଓ ଭକ୍ତି ସହକାରେ ନାଚି ନାଚି ପ୍ରଭୁଙ୍କ ରଥକୁ ଟାଣି ଟାଣି ମାଉସୀ ମା' ମନ୍ଦିର ଅଭିମୁଖେ ନେଇଥିଲେ । ତେବେ ମଙ୍ଗଳବାର ରଥଟଣା କାର୍ଯ୍ୟ ଅଧାରେ ରହିଥିଲା । ଆଜି ଦ୍ବିତୀୟ ଦିନରେ ମାଉସୀ ମା' ମନ୍ଦିରରେ ପହଞ୍ଚିବେ ଭାଇ-ଭଉଣୀ । ରଥଯାତ୍ରା ପାଇଁ ରାଇରଙ୍ଗପୁର ବଡ଼ଦାଣ୍ଡରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ କୌଣସି ଅଘଟଣ ନଘଟିବା ପାଇଁ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାଇରଙ୍ଗପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ଇଟିଭି ଭାରତ, ରାଇରଙ୍ଗପୁର