ଭକ୍ତମୟ ଶୈଳ ଶ୍ରୀକ୍ଷେତ୍ର: ଭାବ ଭକ୍ତିରସରେ ଭିଜିଲେ ଭକ୍ତ

🎬 Watch Now: Feature Video

thumbnail

By

Published : Jun 21, 2023, 7:09 AM IST

ଅନୁଗୋଳ: ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି ମହାପ୍ରଭୁ  । ରଥରେ ବିଜେ କରି ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି  । ମଙ୍ଗଳବାର କୋଟି ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଳନ ହୋଇଛି । ଯେଉଁଠି ଜଗନ୍ନାଥଙ୍କର ମନ୍ଦିର ଅଛି ସେଠାରେ ପାଳିତ ହେଉଛି ଚତୁର୍ଦ୍ଧା ମୁରତୀଙ୍କ ରଥଯାତ୍ରା । ଏହି କ୍ରମରେ  ଅନୁଗୋଳ ଶୈଳଶ୍ରୀ କ୍ଷେତ୍ରରେ ରଥଯାତ୍ରା ପାଳିତ ହୋଇଛି । ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଆଣିଛନ୍ତି ଭକ୍ତ । ସବୁଠୁ ବଡ କଥା ହେଉଛି ଶୈଳଶ୍ରୀ କ୍ଷେତ୍ରରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି ।  

ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧରିବା ପାଇଁ ରଥାରୂଢ଼ ହୋଇ ଭକ୍ତଙ୍କ ମେଳରେ ଯାତ୍ରା କରନ୍ତି । ଅନୁଗୋଳର ପ୍ରସିଦ୍ଧ ଶୈଳ ଶ୍ରୀକ୍ଷେତ୍ରରେ ଠାକୁରମାନଙ୍କର ଘୋଷଯାତ୍ରା ଆୟୋଜିତ ହୋଇଛି । ବଡି ଭୋରରୁ ପ୍ରଥମେ ଦ୍ବାରଫିଟା, ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ଆଦି ନୀତିକାନ୍ତି ସମ୍ପନ୍ନ ହେବା ପରେ ଦିନ ପ୍ରାୟ ୯ଟା ୩୦ରେ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କର ପହଣ୍ଡି । ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ଧାଡି ପହଣ୍ଡିରେ ବାହାରି ରଥରେ ବିଜେ କରିଥିଲେ । ବିଧି ପୂର୍ବକ ରଥରେ ଛେରା ପହଁରା ହେବାପରେ ଅପରାହ୍ନରେ ଆରମ୍ଭ ହୋଇଥିଲା ରଥଟଣା । 

ଶୈଳ ଶ୍ରୀକ୍ଷେତ୍ରରେ ଘର ଘର ନାଦ କରି ଗଡିଥିଲା ତିନି ରଥ । କଳା ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଅମଲାପଡା ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିଲା ଭକ୍ତଙ୍କ ଭିଡ । ସମସ୍ତେ ଭକ୍ତି ଓ ବିନୟ ସହକାରେ ରଥ ଟାଣିଥିଲେ । ଏଠାରେ ପରମ୍ପରା ରହିଛି ମହିଳାମାନେ ହିଁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣିଥାନ୍ତି ।  ରଥଟଣା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.