RathaKhala Halchal: ଶେଷ ହେଲା ତିନି ରଥର ଅଖ ଚକ ସଂଯୋଗ

By

Published : May 20, 2023, 5:01 PM IST

thumbnail

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ରଥଖଳା ଚଳଚଞ୍ଚଳ ହୋଇଉଠିଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ସମ୍ପୂର୍ଣ୍ଣ ଅଖ ଚକ ସଂଯୋଗ ହୋଇସାରିଛି। ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି । ତେବେ ରଥଖଳାରେ ଚାରି ନାହାକା ଓ ଗରଗରା କାର୍ଯ୍ୟ ଚାଲୁ ରହିଛି। ତିନିରଥର ୨ଟି ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି 'ଦଣ୍ଡା ମୁହାଁଟି'ର ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇ ଶେଷ ହୋଇଛି। ଏହି ଦଣ୍ଡାମୁହାଁଟି ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ଭାଗରେ ସଂଯୋଗ ହେବ ।  

ପ୍ରତି ଦଣ୍ଡା ମୁହାଁଟିରେ ୫ଟି ଲେଖାଁଏ ବିନ୍ଧ କରାଯାଇଛି। ତିନିରଥର ୧୨ଟି ଲେଖାଁଏ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ବାରା ସମ୍ପନ୍ନ ପରେ ତିନିରଥର ମହାରଣାମାନେ ପ୍ରତି ଚଉତାର ୨ ପାର୍ଶ୍ଵରେ ୨ଟି ଲେଖାଁଏ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି । ତିନିରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଥିବା ୨୦ ଫୁଟିଆ ୮ଟି ଲେଖାଁଏ "୧୪ ନାହାକା" କାଠରେ ତିନିରଥ ମହାରଣାମାନେ ସେଥିରେ ଆଠ ଅଂଶୀ କୋଣ ବିଶିଷ୍ଟ ନାହାକା ନିର୍ମାଣ ଶେଷ କରିଛନ୍ତି। ତିନିରଥର ଚାରି ନାହାକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ରଥ ଆମୀନ ପ୍ରଥମ ପର୍ଯ୍ୟାୟରେ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ। 

ଏହା ବି ପଢନ୍ତୁ-  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ, ଜଗା ଦର୍ଶନ ପାଇଁ ଛଟପଟ ଭକ୍ତ

ଚାରିନା ହାକାର ଚଉପଟ କାର୍ଯ୍ୟ ତିନି ରଥର ମହାରଣାମାନେ ଆରମ୍ଭ କରିଛନ୍ତି। ଗରଗରା ନିର୍ମାଣ ପାଇଁ ତିନିରଥର ଚାଳିକୁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇ ଥିଲେ। କରତି ସେବକ ସେଗୁଡିକର ମୁଣ୍ଡ କରତି କଲାପରେ ତିନିରଥର ମହାରଣାମାନେ ଗରଗରାର ଚଉପଟ କାଯ୍ୟ ଆରମ୍ଭ କରିଛନ୍ତି । ଆଜି କରତି ସେବକମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳର ଦୁଇପାର୍ଶ୍ଵ ଚିତା କାର୍ଯ୍ୟ ଶେଷ କରି ଚିରଟ ପାଇଁ ମାପ ଚିହ୍ନ ଦେଇଛନ୍ତି। ତିନିରଥର ରୂପକାର ସେବକମାନେ ରଥର ଗୁଜଗୁଡିକରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ରୁପାର ପଲିସ କାର୍ଯ୍ୟ ଜାରି ରଖିଛନ୍ତି ।

ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ତାଳଧ୍ବଜ ରଥର ଓଝା ସେବକମାନେ ତାଳଧ୍ବଜ ରଥର ଦଣ୍ଡାପାଇଁ 'ଅଗପାତେଳି'ରୁ ୪୨ଟି ଏବଂ 'ଚଉରସ' କଣ୍ଟାରୁ ୩୫ଟି ମୋଟ ୭୭ ଟି କଣ୍ଟା ନିର୍ମାଣ କରୁଥିବା ବେଳେ ଦର୍ପଦଳନ ରଥର ଓଝା ସେବକମାନେ 'ଅଗ ପାତେଳି' ରୁ ୩୬ ଗୋଟି ଏବଂ 'ଚଉରସ' କଣ୍ଟାରୁ ୩୦ଟି ମୋଟ ୬୬ ଗୋଟି ଏବଂ ନନ୍ଦିଘୋଷ ରଥ ଦଣ୍ଡା ପାଇଁ ଓଝା ସେବକମାନେ 'ଅଗପାତେଳି'ରୁ ୪୮ଟି ଏବଂ 'ଚଉରସ' କଣ୍ଟାରୁ ୪୦ଟି ମୋଟ ୮୮ ଗୋଟି କଣ୍ଟା ଆବଶ୍ୟକ ପ୍ରକାରେ ନିର୍ମାଣ ଲାଗିଛନ୍ତି।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.