Rathakhala Halchal: ଚକ ଦିଗ ନିର୍ଣ୍ଣୟ ପୂର୍ବକ ତିନିରଥର ଚକ-ଅଖ ଥାକ କଲେ ମହାରଣା ସେବକ

By

Published : May 28, 2023, 4:23 PM IST

thumbnail

ପୁରୀ: ମହାପ୍ରଭୁ ତିନି ରଥ ନିର୍ମାଣ ଆଗେଇ ଚାଲିଛି। ତିନିରଥର ମୁଖ୍ୟ ମହାରଣାମାନେ ଭୋଇ ସେବକଙ୍କ ସହାୟତାରେ ଚକ ଦିଗ ନିର୍ଣ୍ଣୟ ପୂର୍ବକ ତିନିରଥର ଚକ-ଅଖ ଥାକ କରିଛନ୍ତି । ରଥ ଚକଗୁଡିକ ଯେପରି ଆଗକୁ ଗଡି ନଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ ସେନେଇ ଚକର ଦୁଇ ପାର୍ଶ୍ବରେ ବନ୍ଧା ଦିଆଯାଇଛି । ଏହାପରେ ଅଖ ତଳ ଭାଗରେ ମେଣ୍ଢି ଲାଗି ହୋଇ ତିନିରଥର ଦଣ୍ଡା ପଡିଛି। ପାର୍ଶ୍ବ ମୁହାଁଟ ସହ ଦଣ୍ଡା ଏବଂ କୁଡୁକା ସଂଯୋଗ ଦଣ୍ଡାକୁ ଦଣ୍ଡା ଦଉଡିରେ ଟାଣ ଦିଆଯାଇ ବନ୍ଧାଯାଇଛି । ତିନିରଥର ଦଣ୍ଡାଗୁଡିକରେ କଣ୍ଟା ପଡିବ । ଏଣୁ ତିନିରଥର ଦଣ୍ଡା ଗୋଲେଇ ବା ଦଣ୍ଡାଗୁଡିକର ତଳ ଭାଗ ଅର୍ଦ୍ଧ ଚନ୍ଦ୍ରକାର ଖୋଦେଇ କାର୍ଯ୍ୟ ସହ ଦଣ୍ଡା ଏବଂ ଅଖକୁ ଦଉଡ଼ି ଦ୍ବାରା ବନ୍ଧା ଯାଇ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ହେବ ତାଳଧ୍ବଜ ରଥର ଗୋଟିଏ ପୋଲ ଗୟଳ ଚଉପଟ ଶେଷ ହୋଇଥିଲା ।  

ଆଜି ଆଉ ଦୁଇଟି ପୋଲା ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇ ଦୁଇଟି ଚାନ୍ଦା ଗୟଳର ଚଉପଟ ପାଇଁ ହଣା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ଅଣସର ଗୟଳ 3ଟିର ଚଉପଟ କାର୍ଯ୍ୟ ଶେଷ ହୋଇଛି ଉକ୍ତ ଗୟଳ ତିନୋଟିଏ ଦୁଇ ପାର୍ଶ୍ବ ଗୋଳେଇ କାର୍ଯ୍ୟ ବାକି ରହିଛି । ଦୁଇଟି ପୋଲ ଗୟଳର ଚଉପଟ ଶେଷ ହୋଇଥିଲା । ଆଜି ଆଉ 2ଟି ଗୟଳର ଚଉପଟ କାର୍ଯ୍ୟ ଶେଷ ପରେ ଦୁଇଟି ଚାନ୍ଦା ଗୟଳର ହଣା କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର 2ଟି ବଡ଼ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଆଉ ଗୋଟିଏ ପୋଲ ଗୟଳର ଚଉପଟ କାର୍ଯ୍ୟ ମଧ୍ୟାହ୍ନ ସୁଦ୍ଧା ଶେଷ ହୋଇଥିଲା ।  

ଏହା ବି ପଢନ୍ତୁ- ଶେଷ ପର୍ଯ୍ୟାୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମରମତି କାର୍ଯ୍ୟ, ସିସି କ୍ୟାମେରାରେ ନଜରରେ ସୁରକ୍ଷା ବ୍ୟବସ୍ଥା

ଅପରାହ୍ନରେ ଆଉ ଦୁଇଟି ଗୟଳର ହଣା କାର୍ଯ୍ୟ ପରେ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ ତିନି ରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ତିନିରଥର ସିଂହାସନରେ ଚିତ୍ର ଖୋଦେଇ ଅଲଗା ଅଲଗା ହୋଇଥାଏ । ତାଳଧ୍ବଜ ରଥର ସିଂହାସନର ମଝି ଭାଗରେ ଦୁଇ ପାର୍ଶ୍ଵରେ ମାଛ ଥାଇ ପୂର୍ଣ୍ଣ କୁମ୍ଭ ସହ ଡାଳି ଲତା, ଦୁଇପାର୍ଶ୍ଵରେ ଚାରି ଚାରୋଟି ହଂସ ଶେଷ ଭାଗ ଦୁଇପାଟ ପଦ୍ମ ପାଖୁଡାର ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରହିଛି । ସେହିପରି ଦେବୀ ରଥ ସିଂହାସନର ମଧ୍ୟ ଭାଗରେ ଦୁଇପାର୍ଶ୍ଵରେ ମତ୍ସ୍ୟ ସହ ପୂର୍ଣ୍ଣ କୁମ୍ଭ, ପଦ୍ମ ଡାଳି ଶେଷ ଭାଗ ଦୁଇପାର୍ଶ୍ଵ ମୟୁର ସହ ପୂଚ୍ଛ ରହିଛି ।  

ନନ୍ଦିଘୋଷ ରଥର ସିଂହାସନର ମଧ୍ୟ ବଗାଗ୍ରେ ମାଛ ସହ ପୂର୍ଣ୍ଣ କୁମ୍ଭ, ଦୁଇ ପାର୍ଶ୍ଵରେ ପଦ୍ମ ଡାଳି ସହ ହାତୀ ଏବଂ ପଦ୍ମ ପାଖୁଡା ଚିତ୍ର ଖୋଦେଇ କାର୍ଯ୍ୟ ରୂପକାର ସେବକ ମାନେ ଜାରି ରଖିଛନ୍ତି । କରତି ସେବକମାନେ ତିନିରଥକୁ ଦଣ୍ଡା ଉଠୀବା ପାଇଁ ଚକ ଦୁଇ ପାର୍ଶ୍ଵରେ ବାନ୍ଧ ଦେବାକୁ ଏବଂ ଅଖ ତଥା ଦଣ୍ଡାରେ ମେଣ୍ଢି ଦିଆଯିବା ପାଇଁ କାଠ ଗଡ଼ କରି ଯୋଗାଇଛନ୍ତି । ଦୋଳବେଦୀଠାରେ ଦୁଇ ପାହୀ ମହାରଣା ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଆବଶ୍ୟକ କୁରୁମ ପିଢ଼ା ସହ ବେଶ ଘୋଡ଼ିଆ ଏବଂ ଚାଙ୍ଗଡ଼ା ନିର୍ମାଣ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର ଯୋଖା କଣ୍ଟା, ଗୟଳ କଣ୍ଟା ଏବଂ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.