ହାଇଦ୍ରାବାଦ: ଭାରତ ଏବେ ଆପଲ୍ ଲାଗି ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଭାରତର 'ମେକ୍ ଇନ୍ ଇଣ୍ଡିଆ'କୁ ଗୁରୁତ୍ବ ଓ PLI ଯୋଜନା କାରଣରୁ iPhoneର ଉତ୍ପାଦନ ଓ ରପ୍ତାନୀ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ବର୍ଷ 2024ରେ ଆପଲ୍ ଭାରତରେ ତିଆରି, 1 ଲକ୍ଷ କୋଟି ମୂଲ୍ୟର ଆଇଫୋନ ରପ୍ତାନୀ କରି ରେକର୍ଡ ସୃଷ୍ଟି କରିଛି । ଏହାଦ୍ବାରା ଆଇଫୋନ ସିପ୍ମେଣ୍ଟ ବୃଦ୍ଧି ପାଇ 12.8 ବିଲିୟନ ଡଲାର (ପ୍ରାୟ 1.08 ଲକ୍ଷ କୋଟି) ଟଙ୍କାରେ ପହଞ୍ଚିଛି । ଗତବର୍ଷ ତୁଳନାରେ ପ୍ରାୟ 40% ଅଭିବୃଦ୍ଧି ଘଟିଛି ।
ଘରୋଇ ଉତ୍ପାଦନରେ 15-20% ଫାଇଦା
ଭାରତରେ ଗତ କିଛି ବର୍ଷ ମଧ୍ୟରେ ସ୍ଥାନୀୟ ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଇ 15ରୁ 20 ପ୍ରତିଶତରେ ପହଞ୍ଚିଛି । ଘରୋଇ ଉତ୍ପାଦନରେ ଗତ 1 ବର୍ଷ ମଧ୍ୟରେ ପ୍ରାୟ 46 ପ୍ରତିଶତ ବୃଦ୍ଧି ଘଟିଛି । ଏହା ପୂର୍ବରୁ ଆପଲ୍ ଭାରତରେ 9 ବିଲିୟନ ଡଲାରର ଆଇଫୋନ ରପ୍ତାନୀ କରିଥିଲା । ସରକାରଙ୍କ ରିପୋର୍ଟ ଅନୁସାରେ, ଭାରତରେ ଆଇଫୋନ ଉତ୍ପାଦନରେ ବୃଦ୍ଧି ସରକାରୀ ପ୍ରଡକ୍ସନ ଲିଙ୍କଡ୍-ଇନସିଏଟିଭ ପିଏଲଆଇ ଯୋଜନା ଯୋଗୁଁ ହୋଇପାରିଛି ।
ଭାରତରେ ବଢିଲା ରୋଜଗାର
କାଲିଫର୍ଣ୍ଣିଆର ଏହି ଟେକ୍ ଜାଏଣ୍ଟ ଭାରତରେ ଆର୍ଥିକ ବର୍ଷ 2024ରେ ପ୍ରାୟ 14 ବିଲିୟନ ଡଲାର ମୂଲ୍ୟର ଆଇଫୋନ ଉତ୍ପାଦନ କରିଥିବା ବେଳେ 10 ବିଲିୟନ ଡଲାର ମୂଲ୍ୟର ଆଇଫୋନକୁ ରପ୍ତାନୀ କରିଥିଲା । ଏହାଦ୍ବାରା ଭାରତରେ ରୋଜଗାର ମଧ୍ୟ ବୃଦ୍ଧି ପାଇଛି । ଏହାଦ୍ବାରା ଭାରତରେ ଆପଲ୍ 1,75,000 ନୂଆ ଚାକିରି ସୁଯୋଗ ସୃଷ୍ଟି କରିଥିବା ବେଳେ 72% ମହିଳା ସିଧାସଳଖ ଉପକୃତ ହୋଇଛନ୍ତି ।
କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଗବେଷଣା ନିର୍ଦ୍ଦେଶକ ତରୁଣ ପାଠକ କହିଛନ୍ତି ଯେ ଆଇଫୋନ ପ୍ରତି ଯୁବବର୍ଗଙ୍କ ଲୋକପ୍ରିୟତା, ଦୃଢ ଗ୍ରାହକ ସଂଯୋଗ, ଚ୍ୟାନେଲ ଏବଂ ଉତ୍ପାଦନ ବିସ୍ତାର ଯୋଗୁଁ ଭାରତରେ ଆପଲ୍ ସେୟାର ହାସଲ କରିପାରିଛି । ସ୍ଥାନୀୟ ଉତ୍ପାଦନକୁ ଗୁରୁତ୍ବ ଦେଲେ 2025ରେ ଭାରତର ସ୍ମାର୍ଟଫୋନ ମାର୍କେଟ 50 ବିଲିୟନ ପାର କରିବ ବୋଲି ସେ କହିଛନ୍ତି ।