ହାଇଦ୍ରାବାଦ: ଟେକ୍ ଜାଏଣ୍ଟ ଏଲନ ମସ୍କ ନିକଟରେ Grok AIକୁ ଉପଲବ୍ଧ କରାଇଥିଲେ । ଏହାକୁ ନେଇ ମସ୍କ ଦାବି କରିଥିଲେ ଯେ ଏହା ମେଡିକାଲ ଡାଏଗ୍ନୋସ କରିପାରିବ । କିନ୍ତୁ ଏହା ମିଥ୍ୟା ବୋଲି ପ୍ରମାଣିତ କରିବା ସହ ଏଲନ ମସ୍କଙ୍କୁ 'ମିଛୁଆ' ବୋଲି କହିଛନ୍ତି ଭାରତୀୟ ଡାକ୍ତର ସାଇରିଏକ ଏବି ଫିଲିପ୍ସ । ଏଲନ ମସ୍କଙ୍କ AI କମ୍ପାନୀ 'xAI' ଦ୍ବାରା ବିକଶିତ ଏହି ଟେକ୍ନୋଲୋଜିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ Xକୁ କେବଳ ପେଡ୍ ୟୁଜରଙ୍କ ଲାଗି ଉପଲବ୍ଧ କରାଯାଇଥିଲା । କିନ୍ତୁ ଏବେ ସମସ୍ତ ୟୁଜର ଏହାକୁ ବ୍ୟବହାର କରିପାରୁଛନ୍ତି ।
ଏଲନ ମସ୍କ ନିକଟରେ ଏକ ପୋଷ୍ଟ କରି କହିଥିଲେ, "Grok ମେଡିକାଲ ଇଞ୍ଜୁରୀକୁ ଡାଏଗ୍ନୋସ କରିପାରିବ ।" ଏହାର ଅର୍ଥ Grok AIକୁ ବ୍ୟବହାର କରି ୟୁଜର କୌଣସି ରୋଗର ଲକ୍ଷଣ, ଅବସ୍ଥା ଆଦିର ଚିହ୍ନଟ କରିପାରିବେ । କିନ୍ତୁ ଏହା ମିଥ୍ୟା ବୋଲି କହିଛନ୍ତି ଭାରତୀୟ ଡାକ୍ତର । ଏ ନେଇ ସେ Xରେ ଏକ ପୋଷ୍ଟ କରି ଏଲନ ମସ୍କଙ୍କୁ ଟ୍ୟାଗ୍ କରିଥିବା ଦେଖିବାକୁ ମିଳିଛି ।
Xରେ AJ Kay ନାମରେ ଜଣେ ୟୁଜର କହିଥିଲେ ଯେ ସେ ନିଜ ଝିଅକୁ ଇମରେଜନ୍ସି ୱାର୍ଡରେ ଭର୍ତ୍ତି କରାଇଥିଲେ, ସେଠାରେ ଡାକ୍ତର କହିଥିଲେ ଯେ ତାଙ୍କ ହାତରେ ଫ୍ରାକ୍ଚର ହୋଇଛି । ଏହାପରେ ହାତରେ ଯନ୍ତ୍ରଣା ଯୋଗୁଁ ଇବୁପ୍ରୋଫେନ ଓ ହାତକୁ କପଡ଼ାରେ ଗୁଡ଼ାଯାଇଥିଲା । ତାପରେ ୟୁଜର କହିଥିଲେ ୟେ ତାଙ୍କ ଝିଅର ହାତର ଯନ୍ତ୍ରଣା ଠିକ ହୋଇନଥିଲା । ଏହାପରେ ସେ ଝିଅ ହାତର ଏକ୍ସ-ରେ ବାହାର କରି Grok AIକୁ ପଚାରିଥିଲେ । Grokରେ ଏକ୍ସ-ରେ ଫଟୋ ଅପଲୋଡ କରି AIକୁ ପଚାରିବା ପରେ ଏଆଇ କହିଥିଲା ଯେ 'ଡିଷ୍ଟଲ ରେଡିୟସରେ ଏକ ସ୍ପଷ୍ଟ ଫ୍ରାକ୍ଚର ଲାଇନ' ଅଛି ।
ଯେତେବେଳେ ଗ୍ରୋକ୍କୁ ଅଧିକ ପଚରାଗଲା, ସେ କହିଥିଲା ଯେ 'ଏହା ଏକ ଫ୍ରାକ୍ଚର ଲାଇନ୍'। ୟୁଜର କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ଝିଅକୁ ଜଣେ ଅର୍ଥୋପେଡିକ୍ ଡାକ୍ତରଙ୍କ ନିକଟକୁ ନେଇଗଲେ, ସେତେବେଳେ ଡାକ୍ତର ନୂଆ ଏକ୍ସ-ରେ ବାହାର କରିଥିଲେ ଏବଂ 'ଡିଷ୍ଟଲ ରେଡିଆଲ ହେଡ ଫ୍ରାକ୍ଚର ୱିଥ ଡୋର୍ସଲ ଡିସପ୍ଲେସମେଣ୍ଟ' ଚିହ୍ନଟ କରିଥିଲେ ।
Hey liar @elonmusk https://t.co/uzChlreJJo pic.twitter.com/k6CsNBNkMt
— TheLiverDoc (@theliverdr) January 12, 2025
ଏଲନ ମସ୍କଙ୍କୁ କଣ କହିଲେ ଭାରତୀୟ ଡାକ୍ତର ?
ଏହି ଘଟଣା ପରେ ଏଲନ୍ ମସ୍କ ଦାବି କରିଥିଲେ ଯେ ଗ୍ରୋକ୍ ଏଆଇ ଡାକ୍ତରୀ ନିରାକରଣ କରିବାରେ ମଧ୍ୟ ସକ୍ଷମ । ଏ ନେଇ ଏଲନ ଏକ ପୋଷ୍ଟ କରିଥିଲେ । ଏହାପରେ ଡକ୍ଟର ଫିଲିପ୍ସ, ଯିଏକି 'TheLiverDoc' ନାଁରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ଆକାଉଣ୍ଟ ଚଲାଉଛନ୍ତି ସେ Grok ସହ ଏକ ବାର୍ତ୍ତାଳାପର ସ୍କ୍ରିନସଟ ସେୟାର କରିଥିଲେ । ଯେଉଁଥିରେ ସେ ଚାଟବଟକୁ ପଚାରିଥିଲେ ଯେ 'ଏହା କଣ ମେଡିକାଲ ଇଞ୍ଜୁରୀର ଡାଏଗ୍ନୋସ କରିପାରିବ ?'
ଏହି ଚାଟବଟ୍ ଜବାବ ଦେଇଥିଲେ ଯେ, "ମୁଁ ମେଡିକାଲ ଡାଏଗ୍ନୋସ ଲାଗି ସକ୍ଷମ ନୁହେଁ, କିନ୍ତୁ ମୁଁ ସାମାନ୍ୟ ତଥ୍ୟ ପ୍ରଦାନ କରିପାରିବି । ଆପଣଙ୍କୁ ଉଚିତ ଚିକିତ୍ସା ନେବା ଦିଗରେ ମାର୍ଗଦର୍ଶନ ପ୍ରଦାନ କରିପାରିବି । ଯଦି ଆପଣ କୌଣସି ରୋଗକୁ ନେଇ ଚିନ୍ତିତ, ତେବେ ସ୍ବାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବା ଅଧିକ ଭଲ । ଯିଏକି ଆପଣଙ୍କୁ ଉଚିତ ପରାମର୍ଶ ସହ ଉପଚାର ସମ୍ପର୍କରେ କହିପାରିବେ ।"
ଏହାପରେ ଡକ୍ଟର ଫିଲିପ୍ସ ଆଉ ଥରେ Grokକୁ ପ୍ରଶ୍ନ କରିଥିଲେ କି, "ଏଥର ସତ କୁହ । କଣ ତୁମେ ବାସ୍ତବରେ ମେଡିକାଲ ଡାଏଗ୍ନୋସ କରିପାରିବ ?" ଏହାପରେ ଚାଟବଟ୍ ପୁଣି ସମାନ କଥା କହିଥିଲା । Grok କହିଥିଲା, "ନା, ମୁଁ ମେଡିକାଲ ଡାଏଗ୍ନୋସ କରିପାରିବି ନାହିଁ । ମୁଁ ସୂଚନା ଓ ସହାୟତା ପ୍ରଦାନ କରିବା ଲାଗି ଡିଜାଇନ ହୋଇଥିବା ଏକ AI । କିନ୍ତୁ ଚିକିତ୍ସା ଅବସ୍ଥା ନିର୍ଣ୍ଣୟ କରିବା ପାଇଁ ବୃତ୍ତିଗତ ଡାକ୍ତରୀ ତାଲିମ ଏବଂ ପ୍ରତ୍ୟକ୍ଷ ପରୀକ୍ଷା ଆବଶ୍ୟକ, ଯାହା ମୁଁ ପ୍ରଦାନ କରିବାକୁ ସକ୍ଷମ ନୁହେଁ ।"
ଏହାପରେ ଭାରତୀୟ ଡାକ୍ତର ଜଣକ Grok AI ସହ ବାର୍ତ୍ତାଳାପର ସ୍କ୍ରିନସଟ୍ ନେଇ ଏକ୍ସ ସାଇଟ୍ରେ ପୋଷ୍ଟ କରିଛନ୍ତି । ଏହି ସ୍କ୍ରିନସଟ୍ ସହିତ ଏଲନ ମସ୍କଙ୍କୁ ଟ୍ୟାଗ୍ କରି 'ମିଛୁଆ' ବୋଲି କହିଛନ୍ତି ।