ଗାଁକୁ ନାହିଁ ରାସ୍ତା, ଅନ୍ଧାର ରାସ୍ତାରେ 1.5KM ଖଟିଆରେ ବୁହାହେଲେ ଗର୍ଭବତୀ - କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 24, 2023, 10:01 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣାର ଅନ୍ତ ନାହିଁ। ରାସ୍ତାଘାଟର ସମସ୍ୟା ଯୋଗୁଁ ଅଧିକାଂଶ ଗ୍ରାମରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଫଳରେ କେତେବେଳେ ଦୋଳାରେ ତ କେତେବେଳେ ଖଟିଆରେ ଗର୍ଭବତୀଙ୍କୁ ବୋହି ଆଣିବାକୁ ପଡୁଛି । ପୁଣି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକର ଦୁର୍ଗମ ଲୁଇସିଂ ପଞ୍ଚାୟତରେ। ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ଖଟିଆରେ ଅନ୍ଧାର ରାସ୍ତାରେ ପ୍ରାୟ ଦେଢ କିମି ବୋହିଥିଲେ । ଏହାପରେ ଅଟୋ ଭଡ଼ା କରି ହସ୍ପିଟାଲ ନେଇଥିଲେ ପରିବାର ଲୋକେ।  

ମିଳିଥିବା ସୂଚନା ଅନୁସାରେ ଲୁଇସିଂ ପଞ୍ଚାୟତ ସାନ ଭାଟୁଲୁ ଗ୍ରାମର ମନୋରଞ୍ଜନ ସାହୁଙ୍କ ସ୍ତ୍ରୀ ରଶ୍ମିତା ସାହୁ(୨୫)ଙ୍କର ବୁଧବାର ରାତିରେ ଗର୍ଭ ଯନ୍ତ୍ରଣା ହୋଇଥିଲା । ତେବେ ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି । ପରିବାର ଓ ସାହି ପଡ଼ିଶା ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ରଶ୍ମିତାଙ୍କୁ ଗାଁରୁ ପ୍ରାୟ ଦେଢ କିମି ଦୂର କୁମେଲସିଂ ପର୍ଯ୍ୟନ୍ତ ବୋହି ଆଣିଥିଲେ। ବାଟରେ ପଡୁଥିବା କେଡିଯୋଡି ନାଳକୁ ମଧ୍ୟ ଏହି ଅବସ୍ଥାରେ ପାର ହେବାକୁ ପଡିଥିଲା ।  

ଏହା ବି ପଢନ୍ତୁ- ଗାଁରେ ପଶି ପାରିଲାନି ଆମ୍ବୁଲାନ୍ସ; ୪ କିମି ବୁହାହେଲେ ଗର୍ଭବତୀ, ଅଧବାଟରେ ଶିଶୁ ଜନ୍ମ

ସେଠାରୁ ଏକ ଅଟୋ ଭଡା କରି ନେଇଥିଲେ ୫ କିମି ଦୂର ବାଲନ୍ଦାପଡା ଡାକ୍ତରଖାନା ।   ସାନଭାଟୁଲୁ ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବାରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ବାଟରେ ପଡୁଥିବା କେଡିଯୋଡି ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ଦିନରୁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ । ଏହାକୁ ନେଇ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଠି ପ୍ରଶ୍ନ ଉଠୁଛି ଯୋଜନା କାହା ପାଇଁ ? ରାତି ଅଧରେ ଲୋକେ ଏମିତି ଯନ୍ତ୍ରଣା ଭୋଗିଲେ ସରକାର କାହା ପାଇଁ ଯୋଜନା କରୁଛନ୍ତି ? ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.