Ratha Khala Halchal: ତିନି ରଥର ଚାଲିଛି ପ୍ରଭା କାର୍ଯ୍ୟ - ରଥ ଯାତ୍ରା ୨୦୨୩
🎬 Watch Now: Feature Video
ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନିରଥର ପ୍ରଥମ ଭୂଇଁ ଉଭୟ ପାର୍ଶ୍ବରେ କଇଁଚି ପଡିବା ସହ ତିନିରଥର ତାଗ ବାଡ଼ିଆ କାର୍ଯ୍ୟ ହୋଇଛି। ତିନିରଥ କଳସରେ ଆଲୁମିନିୟମ ଚଦର ଫିଟିଂ ଏବଂ ତିନିରଥର ବ୍ରେକ ଚକରେ ଲୁହା ପ୍ଲେଟ ଫିଟିଂ ଶେଷ ହୋଇଛି। ତିନିରଥର ଦ୍ବିତୀୟ ଭୂଇଁରେ 'ଅନ୍ଧାରି ତାଗ' ଏବଂ ଶେଷ ଭୂଇଁର ଉଭୟ ପାର୍ଶ୍ବରେ 'କଇଁଚି' ଫିଟିଂ ହୋଇ 'ଅନ୍ଧାରି ତାଗ' ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତିନିରଥର ଗୋଟିଏ ଗୋଟିଏ ପଛଆଣି 'ଢମକ' ଚାରିନାହାକାକୁ ଲାଗି ପଡ଼ିଛି । ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥର ଆଗଆଣି ଏବଂ ପଛଆଣି ଦୁଇଟି ଲେଖାଁଏ 'ଢମକ' ପଡିଥାଏ ଏବଂ ଦର୍ପଦଳନ ରଥର ଆଗଆଣି ଗୋଟିଏ ଢମକ ଏବଂ ପଛଆଣି ଦୁଇଟି ଢମକ ପଡ଼ି ଏହି ଢମକଉପରୁ ପଟା ପଡି ବେଦୀ ନିର୍ମାଣ ହୋଇଥାଏ । ତିନିରଥର ସମ୍ମୁଖ ଭାଗକୁ ଛାଡି ରଥ ତିନି ପାର୍ଶ୍ବରେ ପଟା ବାଡିଆ କାର୍ଯ୍ୟ ଜାରି ରହିଛି।
ଏଥିସହ ତିନିରଥର ୪ଟି ଲେଖାଁଏ 'ଦୁଆର ବେଢ଼ା' ନିର୍ମାଣ ଶେଷ ହେବାସହ ତିନିରଥର ୧୨ଟି ଲେଖାଁଏ 'କଣି ଫାଉଡା' ନିର୍ମାଣ ଶେଷ ହୋଇଛି । ଏହି କଣି ଫାଉଡା ତିନିରଥର ଛକାଠି କୋଣମାନଙ୍କରେ ପ୍ରତି କୋଣରେ ୩ଟି ଲେଖାଁଏ ସେଟିଂ ହୋଇ ଏହାର ଚାରି ପାର୍ଶ୍ବରେ ବତା ବା ପତଳା କାଠ ବଟନ ପକାଯିବ ରଥର କନା ପଡିବା ବେଳେ ରଥର ଗୋଲାକାର ସେଫ ଦୃଶ୍ୟମାନ ହେବା ସହ ରଥ କନା ନ ଚିରି ସୁରକ୍ଷିତ ରହିଥାଏ । ତିନିରଥର ଶ୍ରୀବିଗ୍ରହମାନଙ୍କ 'ପ୍ରଭା' ଫ୍ରେମ ନିର୍ମାଣ ଚାଲିଛି । ଫ୍ରେମରେ ପଟା ବାଡ଼ିଆ ହୋଇ ପ୍ରଭା ଉପର ଭାଗ କାରୁକାର୍ଯ୍ୟ ପାଇଁ ମହି କାଠ ପଟାରେ ଖିଲଣ ନିର୍ମାଣ ଜାରି ରହିଛି। ରୂପକାର ସେବକମାନେ ତିନିରଥର ୮ଟି ଲେଖାଁଏ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖିଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପ ଖୋଦେଇ ଶେଷ ହୋଇଥିବା ନାଟ ଗୋଡ଼ ଗୁଡିକରେ ଚିତ୍ରକାରମାନେ ସେଥିରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।
ତିନିରଥର ପାର୍ଶ୍ବ ଦେବାଦେବୀ, ସଖୀ, ଋଷିପଟା, ଓଲଟ ଶୁଆ, ହଂସପଟା, କଳସ, କନ୍ୟାପଟା ଆଦିରେ ଚିତ୍ରକାର ମାନେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ଅଂଶ ଚକ, କୋଣ ଗୁଜ, ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦରଜି ସେବକମାନେ ତିନିରଥର ବତା କନା କଟିଂ ପରେ ବିଳାଶ ପଟିରେ ଲେସ ସିଲାଇ କାର୍ଯ୍ୟ ସହ ତିନିରଥର ଦୁଆର ବେଢ଼ା ପାଇଁ କନା କଟାଯାଇ ଲେସ କାମ ଚାଲିଛି । ଏହି କାର୍ଯ୍ୟରେ ତିନି ରଥର ମୁଖ୍ୟ ଦରଜି ସମେତ ୧୭ ଜଣ ଦରଜି ସେବକ ସାମିଲ ଅଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥ ଚକ ଅରରେ କ୍ଲାମ୍ପ, ଫିଟିଂ ସକ କୋଣ ଗୁଜ ମୁହାଁଟିରେ ଏଲ କ୍ଳାମ ଫିଟିଂ କରିବା ସହ ରଥରେ ପୋଟଳ ସେଟିଂ ପାଇଁ ପୋଟଳ ନଦା କଣ୍ଟା ଏବଂ ଓଲଟ ସୁଆ ସେଟିଂ ପାଇଁ ନରାଜ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।
ଇଟିଭି ଭାରତ, ପୁରୀ