thumbnail

By

Published : Aug 4, 2023, 8:24 PM IST

ETV Bharat / Videos

କମିଛି ବର୍ଷା ହେଲେ କମିନି ଦୁର୍ଦ୍ଦଶା, ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ

ବାଲେଶ୍ବର: ଜିଲ୍ଲାରେ ବର୍ଷାର ପ୍ରଭାବ କମିଛି । ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା ଦୁଇଦିନ ଲଗାଣ ବର୍ଷାରେ ବାଲେଶ୍ଵର ଜିଲ୍ଲା ସୋର, ଖଇରା ଏବଂ ସିମୁଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା । ସେହିପରି ଏବେବି ସୋର ବ୍ଲକର ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ଦୁର୍ଦ୍ଦଶାରେ ଲୋକମାନେ ଜୀବନ କାଟୁଛନ୍ତି । ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ସୋର ବ୍ଲକର ତଳନଗର ଓ ତେଣ୍ଟେଇ ପଞ୍ଚାୟତର ଅନେକ ଗାଁର ଲୋକେ । ତଳନଗର ପଞ୍ଚାୟତର ସୁନାରୀ, ରହଣିଆ, ବ୍ରାହ୍ମଣ ସବିରା, ବେଲସବିରା, ଡିହସବିରା, ପଦନପଡ଼ା, ସାଲମପୁର ଓ ଜାବନାପଦା ଆଦି ନଅଟି ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହୋଇଛି । 

ଅଧିକ ପଢନ୍ତୁ:  Flash Flood Situation: ମହାନଦୀରେ ବନ୍ୟା, ଉବୁଟୁବୁ ଟିକରପଡା

ଏହାସହ ତେଣ୍ଟେଇ ପଞ୍ଚାୟତର ତେନ୍ତୁଳିଆ, ବିରିପଡା, ଦୟାନିଧିପୁର, କଣ୍ଟାବଣିଆ, ବିଶ୍ୱାଳ ବେଢ଼, ବାରିକ ସାହି, ସଉଳହାଟ ଗ୍ରାମର ହଜାର ହଜାର ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚାର ପାଣି ସୁଅ ଚାଲୁଥିବା ବେଳେ ସ୍କୁଲ, ମନ୍ଦିର ଆଦି ଜଳମଗ୍ନ ଅବସ୍ଥାରେ ରହିଛି । ଲୋକମାନେ ବାହାରକୁ ବାହାରି ପାରୁ ନଥିବା ବେଳେ ଘରେଥିବା ଶୁଖିଲା ଖାଦ୍ୟ ଖାଇ ଦିନ ବିତାଉଛନ୍ତି ଲୋକେ। ବିଷଧର ସାପ ଓ ଅଜଣା ରୋଗ ଭୟରେ ଛୋଟଛୋଟ ପିଲାଙ୍କୁ ନେଇ ପାଣି ଘେର ଭିତରେ ଦିନ କାଟୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ଗ୍ରାମବାସୀ କହିଛନ୍ତି । ସୋର ବ୍ଲକର  ଥିବା ସମସ୍ତ ସ୍କୁଲ ଆଜି ବି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହାସହ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ । ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବା ନେଇ ବିଡ଼ିଓ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । 

ଇଟଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.