ଦରମା ନପାଇ ଆଖି ବୁଜିଲେ ହୋମଗାର୍ଡ, ଜିଲ୍ଲା ପୋଲିସକୁ ଦୋଷ ଦେଲେ ପରିବାର
🎬 Watch Now: Feature Video
ଅନୁଗୋଳ: ୪ ମାସ ହେଲା ମିଳିଲାନି ଦରମା । ଟଙ୍କା ଅଭାବରୁ ଔଷଧ ଖାଇ ନପାରି ଆଖି ବୁଜିଲେ ହୋମଗାର୍ଡ । ଅନୁଗୋଳ ସହର ପାଖ ତୁରଙ୍ଗ ଗାଁରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ମୃତ ହୋମଗାର୍ଡ ହେଉଛନ୍ତି ପ୍ରଫୁଲ୍ଲ କୁମାର ନାୟକ । ତାଙ୍କର ମୃତ୍ୟୁ ପାଇଁ ପରିବାର ଲୋକେ ଜିଲ୍ଲା ଏସପିଙ୍କୁ ଦାୟୀ କରିଛନ୍ତି । ପ୍ରଫୁଲ୍ଲ ସିକଲିଲ ରୋଗରେ ପୀଡିତ ଥିବାରୁ ନିୟମିତ ଔଷଧ ସେବନ କରନ୍ତି । ହେଲେ ଗତ ୪ ମାସ ହେବ ସେ ଡିୟୁଟି କରୁଥିଲେ ବି ତାଙ୍କ ଦରମା ମିଳୁନଥିଲା । ବୁଧବାର ତାଙ୍କର ଦେହ ଅସୁସ୍ଥ ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ନିୟମିତ ଦରମା ନ ପାଇବାରୁ ହୋମଗାର୍ଡ ପ୍ରଫୁଲ୍ଲ ଅଭାବରେ ରହୁଥିଲେ । ସେ ନିୟମିତ ଔଷଧ ସେବନ କରିପାରୁନଥିଲେ । ଏହି କାରଣରୁ ଦେହ ଅଧିକ ଖରାପ ହୋଇ ତାଙ୍କର ମୃତ୍ୟୁ ଘଟିଛି ଥିବା ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ହୋମଗାର୍ଡଙ୍କ ମୃତ୍ୟୁ ଘଟଣାକୁ ନେଇ ଜିଲ୍ଲା ପୋଲିସ ଉପରେ ବର୍ଷିଛି ରାଜ୍ୟ ହୋମଗାର୍ଡ ସଂଘ । ଘଟଣା ପାଇଁ ସଂଘର କର୍ମକର୍ତ୍ତା ଏସପିଙ୍କୁ ଦାୟୀ କରିଛନ୍ତି । ପ୍ରତି ମାସର 10 ତାରିଖ ମଧ୍ୟରେ ହୋମଗାର୍ଡଙ୍କୁ ଦରମା ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ ରହିଥିବା ବେଳେ କିଭଳି ଅନୁଗୋଳ ଏସପି 4 ମାସ ହେବ ଦରମା ଦେଇନାହାନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି । ଏହାସହିତ ମୃତକଙ୍କ ଅନୁଗୋଳ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଭାଉଜର ମୃତ୍ୟୁ ଖବର ପାଇ ବାପଘରକୁ ଆସିଥିଲା ନଣନ୍ଦ, ଦୁର୍ଘଟଣାରେ ଚାଲିଗଲା ଜୀବନ
ସଂଘର ସଭାପତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସର୍କୁଲାଲ ମୁତାବକ ହୋମଗାର୍ଡଙ୍କ ମୃତ୍ୟୁ ଡ୍ୟୁଟି ସମୟରେ ହେଲେ ତାଙ୍କୁ 10 ଲକ୍ଷ ଟଙ୍କା ଓ ପରିବାର ଜଣକୁ ଚାକିରି ଦେବା ନିୟମ ରହିଛି । ତେଣୁ ଅନୁଗୋଳ ଜିଲ୍ଲାରେ ଯେଉଁ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି ତାଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ବିଚିତ୍ରାନନ୍ଦ ବିଶ୍ଵାଳ, କଟକ ଜିଲ୍ଲା ସଭପତି ସୁରେନ୍ଦ୍ର ମଲ୍ଲିକ, ଓ ଅନ୍ୟ ସଦସ୍ୟମାନେ ତୁରଙ୍ଗ ସ୍ଥିତ ବାସଭବନ ଯାଇ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ତେବେ ହୋମଗାର୍ଡ ମହାସଂଘ ଏତେ ବଡ଼ ଅଭିଯୋଗ ଆଣିଥିଲେ ହେଁ ଏସପିଙ୍କ ପ୍ରତିକ୍ରିୟା ମିଳିନାହିଁ ।
ଇଟିଭି ଭାରତ, ଅନୁଗୋଳ