ଧବଳେଶ୍ବର ଦର୍ଶନ ଲାଗି ଭକ୍ତଙ୍କ ପାଇଁ ଖୋଲିଲା ନୂଆ ସେତୁ - ଧବଳେଶ୍ବରଙ୍କ ପୀଠକୁ ଯାତାୟତ ହେଲା ସହଜ
🎬 Watch Now: Feature Video
କଟକ: ବାବା ଧବଳେଶ୍ବରଙ୍କ ପୀଠକୁ ଯାତାୟତ ହେଲା ସହଜ । କଂକ୍ରିଟ ବ୍ରିଜ ଦେଇ ଦର୍ଶନ କଲେ ଶ୍ରଦ୍ଧାଳୁ । ମହାନଦୀର ମଞ୍ଚେଶ୍ବର ପାର୍ଶ୍ବରୁ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ୨୭୬ ମିଟରର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ଖୋଲା ଯାଇଛି । ଆଜି ସକାଳୁ ଧବଳେଶ୍ଵର ପୂଜକ ସମିତି ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବ୍ରିଜ ଦେଇ ଛଡାଯାଇଥିଲା । ଅସ୍ଥାୟୀ ରାସ୍ତା ଧୋଇ ଯିବାରୁ ଧବଳେଶ୍ଵରଙ୍କୁ ଦର୍ଶନ କରିବାରୁ ଶ୍ରଦ୍ଧାଳୁ ବଞ୍ଚିତ ଥିଲେ । ଶ୍ରାବଣ ମାସରେ କାଉଡ଼ିଆ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଭକ୍ତି ଭାବକୁ ଦୃଷ୍ଟିରେ ରଖି ଏହି ସେତୁ ଉପରେ ଯାତାୟାତ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପୋଲଟିର ସଂପୂର୍ଣ୍ଣ କାର୍ଯ୍ୟ ସରିଲା ପରେ ଏହାର ଶୁଭାରମ୍ଭ କରାଯିବ । ଧବଳେଶ୍ଵରଙ୍କ ପୀଠକୁ ଯିବା ପାଇଁ ପ୍ରଥମେ ଡଙ୍ଗାର ବ୍ୟବସ୍ଥା ଥିବା ବେଳେ ୨୦୦୬ ମସିହା ଠାରୁ ଝୁଲାପୋଲ ଦେଇ ଭକ୍ତ ଯାଉଥିଲେ । କାର୍ତ୍ତିକ ପଞ୍ଚକ ଠାରୁ ଝୁଲାପୋଲ ଦୁର୍ବଳ ଘୋଷଣା କରି ପ୍ରଶାସନ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲା । ଜାନୁୟାରୀ ମାସ ୧୧ ତାରିଖରୁ ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ପୀଠକୁ ଶ୍ରଦ୍ଧାଳୁମାନେ ଆସୁଥିବା ବେଳେ ଜୁନ ୩୦ ତାରିଖରେ ଏହି ରାସ୍ତା ଧୋଇଯାଇଥିଲା । ଏବେ ମଞ୍ଚେଶ୍ୱର ପଟୁ ବିଜୁ ସେତୁ ଯୋଜନାରେ ଏହି କଂକ୍ରିଟ ପୋଲ ନିର୍ମାଣ କରାଯାଇଛି । ଆଜି ଠାରୁ ଶ୍ରଦ୍ଧାଳୁମାନେ ବ୍ରିଜ ଦେଇ ପ୍ରଭୁ ଧବଳେଶ୍ବରଙ୍କ ଦର୍ଶନ କରିବାକୁ ସୁଯୋଗ ପାଇବେ ।
ଇଟିଭି ଭାରତ, କଟକ