ମୋଟର ସାଇକଲ ଡିକିରୁ 2 ଲକ୍ଷ ଟଙ୍କା ଲୁଟ୍, ସିସିଟିଭିରେ କଏଦ ଚୋରି ଦୃଶ୍ୟ - ସିସିଟିଭି କ୍ୟାମେରାରେ କଏଦ
🎬 Watch Now: Feature Video
ଭଦ୍ରକ: ମୋଟର ସାଇକଲ ଡିକିରୁ 2 ଲକ୍ଷ ଟଙ୍କା ଲୁଟ୍ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ନିକଟରେ । ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କୋଠାର ଗାଁର ଯୁବକ ଅଭିଜିତ ପୁଣ୍ଟିଆ । ଖବର ଅନୁଯାୟୀ ଅଭିଜିତ ନିଜ ଭଉଣୀ ବାହାଘର ପାଇଁ ପୂର୍ବରୁ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ବନ୍ଧକ ରଖିଥିବା ସୁନା ଗହଣାକୁ ମୁକୁଳାଇବା ପାଇଁ ଘରୁ 2 ଲକ୍ଷ ଟଙ୍କା ନିଜ ମୋଟର ସାଇକେଲ ଡିକିରେ ରଖି ଆସିଥିଲେ । ହେଲେ କୌଣସି କାରଣରୁ ସ୍ଵର୍ଣ୍ଣ ଋଣ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟ ହୋଇ ନପାରିବାରୁ ସେ ସେଠାରୁ ଫେରି ଆସିଥିଲେ । ପରେ ଫେରିବା ବାଟରେ ଅଭିଜିତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ ଔଷଧ ଦୋକାନ ସମ୍ମୁଖରେ ତାଙ୍କ ମୋଟର ସାଇକଲ ରଖି ଔଷଧ କିଣୁଥିବା ବେଳେ ତାଙ୍କ ମୋଟର ସାଇକେଲ ଡିକିରେ ଥିବା 2 ଲକ୍ଷ ଟଙ୍କାକୁ କେହି ଦୁର୍ବୁତ୍ତ ଲୁଟ କରି ଫେରାର ହୋଇ ଯାଇଛନ୍ତି । ଯାହାର ଭିଜୁଆଲ ସେହି ଔଷଧ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏହି ଲୁଟ ହୋଇଥିବା ଘଟଣା ଜାଣିବା ପରେ ସମ୍ପୃକ୍ତ ଯୁବକ ଜଣଙ୍କ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିବା ପରେ ଭଦ୍ରକ ଟାଉନ ଥାନା ପୋଲିସ ସେହି ମେଡ଼ିସିନ ଷ୍ଟୋରକୁ ଆସି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।
ଇଟିଭି ଭାରତ,ଭଦ୍ରକ