thumbnail

କାଳିଆପାଣି ଖଣି ଅଞ୍ଚଳରେ ୪ ଥାକିଆ ରାସ୍ତା ପାଇଁ ହେଲା ଶିଳାନ୍ୟାସ, ଖର୍ଚ୍ଚ ହେବ 6 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା

By ETV Bharat Odisha Team

Published : Oct 20, 2023, 8:48 PM IST

ଯାଜପୁର: କାଳିଆପାଣି ଖଣି ଅଞ୍ଚଳକୁ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଗସ୍ତ । 6 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ନିର୍ମାଣ ହେବାକୁ ଥିବା ରାସ୍ତାର କଲେ ଶିଳାନ୍ୟାସ । ଖଣି ଅଞ୍ଚଳର ଲାଇଫଲାଇନ୍ ଟମକା ମଙ୍ଗଳପୁର ଭାୟା କାଳିଆପାଣି ରାସ୍ତାକୁ ୪ ଥାକିଆ ରାସ୍ତା କରିବା ପାଇଁ  ଭୂମି ପୂଜା କରିଛନ୍ତି ଇସ୍ପାତ, ପୂର୍ତ୍ତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ । ଜିଲ୍ଲା ଖଣିଜ ପାଣ୍ଠିରୁ ୩ଟି ପର୍ଯ୍ୟାୟରେ ୬୨୫ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହେବ । ଏହି ଅଞ୍ଚଳରେ ୧୦ ରୁ ଉର୍ଦ୍ଧ୍ବ ବଡ଼ବଡ଼ କ୍ରମାଇଟ୍ ଖଣି ରହିଛି । ଯାହାଦ୍ବାରା ଦୈନିକ ହଜାର ହଜାର ଭାରିଯାନ ଯୋଗେ ଖଣି ପରିବହନ କରାଯାଇଥାଏ ।  ବହୁ ବର୍ଷ ଧରି ଏହି ଅଞ୍ଚଳରେ ରାସ୍ତା ବା ଗମନାଗମନ ସମସ୍ୟା ଉପୁଜିଥିଲା । ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ବିକାଶ ହୋଇଛି ବିଫଳ, ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ

ତେବେ ଏଠାରେ ପ୍ରଶସ୍ତ ରାସ୍ତା ନିର୍ମାଣ କରିବାକୁ ଖଣି ଅଞ୍ଚଳବାସୀ ବହୁବାର ଦାବି କରିବା ପରେ ଗତ ୨୦୧୬ ମସିହାରେ ରାସ୍ତା ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ହେଲେ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ସମସ୍ୟା ହେତୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା ।  ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ବହୁ ଉଦ୍ୟମ ପରେ ଏବେ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ସମସ୍ୟାର ସମାଧାନ ହୋଇଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାର ଏଠାରେ ୪ ଥାକିଆ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଭୂମିପୂଜନ କରାଯାଇଛି । ଆଜି ଅନୁଷ୍ଠିତ ଭୂମିପୂଜନ ଉତ୍ସବରେ ଦୁଇ ମନ୍ତ୍ରୀଙ୍କ ସମେତ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଓ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ପ୍ରମୁଖ ସାମିଲ ହୋଇଥିଲେ । ଏଥିସହିତ ବହୁ ସଂଖ୍ୟାରେ ଖଣି ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.