Cuttack Drain Tragedy: ମେୟର ଓ କମିଶନରଙ୍କୁ ଘେରିଲା କଂଗ୍ରେସ, ୧୦ଲକ୍ଷ କ୍ଷତିପୂରଣ ପ୍ରଦାନ, CMCର ୨ସହକାରୀ ଯନ୍ତ୍ରୀ ସସ୍ପେଣ୍ଡ
🎬 Watch Now: Feature Video
କଟକ: ବକ୍ସ ଡ୍ରେନରେ ଚାପି ହୋଇ ନାବାଳିକା ମୃତ୍ୟୁ ଘଟଣା । ମୃତ ନାବାଳିକା ପରିବାରକୁ କ୍ଷତିପୂରଣ ଅର୍ଥ ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ । ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଡାକି ବୈଠକ ପରେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏସସିବି ମେଡିକାଲରେ ନାବାଳିକାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମେୟର ଓ କମିଶନର ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏପଟେ CMCର ୨ସହକାରୀ ଯନ୍ତ୍ରୀ ସସ୍ପେଣ୍ଡ ।
ଗତକାଲି (ମଙ୍ଗଳବାର)ର ଘଟଣା ପରେ କଟକ ମହାନଗର ନିଗମର ମେୟର ସୁବାସ ସିଂ ଓ କମିଶନର ନିଖିଲ ପୱନ କଲ୍ୟାଣ ନାବାଳିକାଙ୍କ ପରିବାରଙ୍କୁ ଭେଟିଛନ୍ତି । ପରିବାରଙ୍କ ସହ କଥା ହେବା ସହ ସମବେଦନା ଜଣାଇଛନ୍ତି । ଏହି ସମୟରେ ସ୍ଥାନୀୟ ଲୋକେ ଓ କଂଗ୍ରେସର ନେତ୍ରୀ ଗିରି ବାଳା ବେହେରା ଓ ତାଙ୍କ ସମର୍ଥକ ମାନେ ଉଭୟ ମେୟର ଓ କମିଶନରଙ୍କୁ ଘେରିଥିଲେ । ଘଟଣାସ୍ଥଳରେ ଯୁକ୍ତିତର୍କ ସହ ହୋହାଲ୍ଲା ଏବଂ ଠେଲାପେଲା ସ୍ଥିତି ଦେଖାଦେଇଥିଲା । ପ୍ରକାଶ ଥାଉକି, ଗତ ମଙ୍ଗଳବାର କେଶରପୁରରେ ବକ୍ସ ଡ୍ରେନର ଲୁହା ପାଇପରେ ଜଣେ କଲେଜ ଛାତ୍ରୀ ଚାପି ହୋଇଯାଇଥିଲେ ।
ନାବାଳିକା ନାଳ ପାର ହେଉଥିବା ବେଳେ ହଠାତ ପୋଲଟି ଭୁଶୁଡି ପଡ଼ିଥିଲା । ଡ୍ରେନ ଉପରେ ଯାଇଥିବା ପୁରୁଣା ଲୁହା ପାଇପ ତଳେ ସେ ଚାପି ହୋଇ ଯାଇଥିଲେ । ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁଇଦିନ ଭିତରେ ନିର୍ମାଣଧିନ ପ୍ରକଳ୍ପରେ ଅସାବଧାନତା ପାଇଁ ଦୁଇଟି ଜୀବନ ଚାଲିଯାଇଥିଲା । ତେବେ ଏହି ଦୁର୍ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ସୂଚନା ଦେଇଛନ୍ତି । ଜାଇକା ଅଧିକାରୀ, ୱାଟ୍ କୋ ଅଧିକାରୀ, ସିଟି ଇଞ୍ଜିନିୟର , ଟ୍ରାଫିକ ଏସିପି ଓ ଅନ୍ୟ ଅଧିକାରୀଙ୍କୁ ଆଗକୁ ଏଭଳି ଘଟଣା ନଘଟିବ ତାହା ଉପରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, କଟକ