କାଳବୈଶାଖୀ ବର୍ଷା: କେଉଁଠି ଆଶ୍ବସ୍ତି ତ କେଉଁଠି ବିପତ୍ତି - କାଲିମେଳାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା
🎬 Watch Now: Feature Video
ମାଲକାନଗିରି: କାଲିମେଳାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜଣାପଡ଼ିଛି । ହଠାତ୍ ଝଡ଼ତୋଫାନ ଯୋଗୁଁ ଏହି ବ୍ଲକର ବିଭିନ୍ନ ଗ୍ରାମରେ ଘରଦ୍ବାର ଭାଙ୍ଗିଯିବା ସହିତ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି । ବିଶେଷ କରି କାଙ୍ଗୁରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୨୨ ଗ୍ରାମରେ ଅଧିକାଂଶ ଲୋକଙ୍କର ଘରଦ୍ବାର ଭାଙ୍ଗିଯାଇଥିବାର ଜଣାପଡ଼ିଛି । ଏହି ଗ୍ରାମର ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଘରର ଆଜବେଷ୍ଟସ ସବୁ ଓ ଘରକାନ୍ଥ ଭାଙ୍ଗି ପଡିଛି । ତେବେ ସ୍ଥାନୀୟ ସରପଞ୍ଚ କହିଛନ୍ତ, ଏ ସଂପର୍କରେ ସେ ପ୍ରଶାସନକୁ ଅବଗତ କରିବା ସହିତ କ୍ଷୟକ୍ଷତି ବାବଦକୁ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା କରାଯିବ । ସୂଚନା ଥାଉକି, ଗତ କିଛି ଦିନ ଧରି କାଲିମେଳା ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାରଦ ୪୩ ଡିଗ୍ରୀ ଉପରେ ରହିଥିଲା । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଆଜି କାଳବୈଶାଖୀ ବର୍ଷା ଯୋଗୁଁ କିଛି ମାତ୍ରାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଲୋକମାନେ ଆଶ୍ବସ୍ତି ଲାଭ କରିଛନ୍ତି । କିନ୍ତୁ କାଳବୈଶାଖୀ ଯୋଗୁଁ ଲୋକେ କ୍ଷତି ବି ସହିଛନ୍ତି ।
ଇଟିଭି ଭାରତ, ମାଲକାନଗିରି