ଡିସେମ୍ବର ୨୪ରେ ହେବ 'ନମନ', ପୋଲିସଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ - NAMAN 2024
🎬 Watch Now: Feature Video
Published : 5 hours ago
ଭୁବନେଶ୍ବର: ପୋଲିସ ବିଭାଗକୁ ସମ୍ମାନିତ କରିବାକୁ ନିଆରା କାର୍ଯ୍ୟକ୍ରମ ନମନ ଡିସେମ୍ବର ୨୪ ତାରିଖରେ ଆୟୋଜନ ହେବାକୁ ଯାଉଛି । ଚଳିତ ବର୍ଷର ଥିମ ରହିଛି ଶହୀଦ ପୋଲିସଙ୍କୁ ସମ୍ମାନ ଦେବା । ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ 'ନମନ' ଫାଉଣ୍ଡେସନ ଆନୁକୂଲ୍ୟରେ, ପୋପା ଏବଂ ସ୍ମାଇଲ ପ୍ଲିଜ଼ ଟ୍ରଷ୍ଟ ସହଯୋଗରେ ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
'ନମନ' ପୋଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏକ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ । ଆଇନ ଶୃଙ୍ଖଳା ରକ୍ଷା କରିବା ବ୍ୟତୀତ ପୋଲିସ ଅହରହ ନିଜ ଜୀବନକୁ ବାଜି ଲଗାଇ ଆମ ଜୀବନକୁ ସରଳ, ସୁନ୍ଦର ଓ ଶୃଙ୍ଖଳିତ କରିବାର ପ୍ରୟାସ ଜାରି ରଖିଥାଏ । ନିସ୍ଵାର୍ଥପର ଭାବେ ସେମାନେ ସମାଜର ଜାଗ୍ରତ ପ୍ରହରୀ ଭାବେ ବର୍ଷକ ବାର ମାସ ଅତ୍ୟନ୍ତ ଅବିରତ ପରିଶ୍ରମ ସହ ଅନେକ ତ୍ୟାଗ କରିଥାନ୍ତି । ସେମାନଙ୍କ ପରିବାର ମଧ୍ୟ ସେମାନଙ୍କୁ ସହଯୋଗ କରିଥାନ୍ତି । ତେଣୁ ପୋଲିସ ସହଯୋଗୀଙ୍କ ନିସ୍ଵାର୍ଥ ସେବାକୁ ହୃଦୟର ସମ୍ମାନ ଦେବାର ଏକ ନିଆରା କାର୍ଯ୍ୟକ୍ରମ ସ୍ୱରୂପ 'ନମନ' ଗତ ଦୁଇ ବର୍ଷ ଠାରୁ ଆୟୋଜିତ ହୋଇଆସୁଛି ।
ଏନେଇ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି,"2 ବର୍ଷର ସଫଳତା ପରେ ଚଳିତ ବର୍ଷ ନମନର କାର୍ଯ୍ୟକ୍ରମକୁ ଆଉ ଟିକେ ବଡ ଆକାରରେ କରିବାକୁ ଯୋଜନା ରହିଛି । ୪୫ରୁ ଊର୍ଦ୍ଧ୍ୱ କଳାକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପୋଲିସ ବିଭାଗ ଏଭଳି ଏକ ବିଭାଗ ଯାହା ବର୍ଷ ତମାମ ବର୍ଷା ଖରା ଶୀତ ଓ କୌଣସି ପର୍ବପର୍ବାଣୀକୁ ନମାନି ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ । ସେହିଭଳିଆ ଏକ ବିଭାଗର ସବୁ ବୀର କର୍ମଚାରୀମାନେ ଅଛନ୍ତି ତାଙ୍କୁ ଓ ତାଙ୍କ ପରିବାର, ସେମାନଙ୍କ ଅବଦାନ ଓ ତ୍ୟାଗକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ।"
ଏହାମଧ୍ୟ ପଢନ୍ତୁ... ରାଜଧାନୀରେ ନମନ ୨୦୨୩: ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ପୋଲିସ ବନ୍ଧୁ ପରବରେ ଜମିଲା ବ୍ୟବସାୟ, କୋଟି କୋଟି ଟଙ୍କାର ବେପାର କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ, ୪୫ ଫିଲ୍ମ ପ୍ରଦର୍ଶିତ |
ଚଳିତ ବର୍ଷ ନମନର ୩ୟ ସଂସ୍କରଣରେ ଓଲିଉଡ଼ ଓ ବଲିଉଡର ଅନେକ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, କମେଡିଆନ, ଉପସ୍ଥାପକ ଯୋଗଦେଇ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ ।
ଇଟିଭି ଭାରତ, ଭୁବନେଶ୍ୱର