ମନ୍ଦିରରୁ ୧୦ ଲକ୍ଷ ଟଙ୍କାର ରୂପା ମୁକୁଟ ଲୁଟ୍

By

Published : Jun 18, 2023, 1:50 PM IST

thumbnail



ଢେଙ୍କାନାଳ: ଲୁଟେରାଙ୍କ ଟାର୍ଗେଟ ମଠ ଓ ମନ୍ଦିର । ଅନ୍ଧାର ରାତିରେ ମନ୍ଦିରରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ । ଢେଙ୍କାଳାଳ ଜିଲ୍ଲା ଭୁବନ ଅଞ୍ଚଳରେ ବାରମ୍ବାର ମନ୍ଦିରରୁ ଲୁଟପାଟ ହେଉଛି । ହେଲେ ଲୁଟେରାଙ୍କ ଟେର୍ ପାଉନି ପୋଲିସ । ଯାହାଫଳରେ ସେମାନେ ନିର୍ଭୟରେ ଗୋଟିଏ ପରେ ଗୋଟିଏ ମନ୍ଦିର ଲୁଟି ଚାଲିଛନ୍ତି । ଶନିବାର ବିଳମ୍ବିତ ରାତିରେ ଭୁବନ ବାଲିବୋ ସ୍ଥିତ ସର୍ବପୁରାତନ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦିରରୁ ସାତଟି ରୁପା ମୁକୁଟ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭୁବନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି  ।

ସୂଚନା ମୁତାବକ, ଗତକାଲି ରାତିରେ ଲୁଟେରାମାନେ ମନ୍ଦିରରେ ପଶି ଲୁଟପାଟ କରିଥିଲେ । ଆଜି ମନ୍ଦିର ପାଳିଆ ଦିନବନ୍ଧୁ ଖଟୁଆ ପୂଜା କରିବା ପାଇଁ ଆସିବା ସମୟରେ ଗ୍ରୀଲ ଭାଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେ ପୂଜକଙ୍କୁ ଖବର ଦେଇଥିଲେ  । ମନ୍ଦିର ଭିତରକୁ ଯାଇ ଦେଖିବା ପରେ ପ୍ରଭୁ ରଘୁନାଥ ଜୀଉଙ୍କ ୭ଟି ରୂପା ମୁକୁଟ ଚୋରି ହୋଇଥିବା ଜଣାପଡିଥିଲା । ଏ ସଂକ୍ରାନ୍ତରେ ମନ୍ଦିର ପରିଚାଳନା କମିଟି ସୂଚନା ପାଇବା ପରେ ସଭାପତି ଅନୁପ କୁମାର ସ୍ବାଇଁ ଘଟଣାସ୍ଥଳକୁ ଯାଇ ଦେଖିଥିଲେ । ଏହାସହିତ ଚୋରି ସମ୍ପର୍କରେ ଭୁବନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଲୁଟରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଧରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି  । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.