ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ଦେବାଶିଷ, କାନ୍ଦୁଛି ଜନ୍ମମାଟି
🎬 Watch Now: Feature Video
ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ଯବାନ ଦେବାଶିଷ ବିଶ୍ଵାଳ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଭାରତୀୟ ସେନା ପକ୍ଷରୁ ଶହୀଦ ଦେବାଶିଷଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଥିଲା । ଶହୀଦ ଦେବାଶିଷଙ୍କ ସାନ ଭାଇ ଦେବପ୍ରସାଦ ବିଶ୍ଵାଳ ମୁଖାଗ୍ନି ଦେଇଥିଲେ ।
ତେବେ ଶହୀଦ ଦେବାଶିଷଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ବୁଦ୍ଧିଜୀବୀ, ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ସମସ୍ତେ ଶହୀଦ ଦେବାଶିଷଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ଭୁବନେଶ୍ଵର ବିମାନ ବନ୍ଦରରୁ ଶହୀଦ ଦେବାଶିଷଙ୍କ ପାର୍ଥିବ ଶରୀର ଏକ ସୁସଜ୍ଜିତ ସେନା ଗାଡ଼ିରେ ଅଣାଯାଇଥିଲା । ସାକ୍ଷୀଗୋପାଳରୁ ଶହୀଦଙ୍କ ଗାଁ ଖଣ୍ଡାୟତ ସାହି ଯାଏଁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । 'ଶହୀଦ ଦେବାଶିଷ ବିଶ୍ଵାଳ ଅମର ରହେ, ବନ୍ଦେ ମାତରମ୍, ଭାରତ ମାତା କି ଜୟ' ଧ୍ବନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥିଲା ।
ରାସ୍ତା ସାରା ଲୋକମାନେ ଶହୀଦ ଦେବାଶିଷଙ୍କ ପାର୍ଥିବ ଶରୀର ଆସିଥିବା ଗାଡ଼ି ଉପରକୁ ପୁଷ୍ପ ବୃଷ୍ଟି କରିଥଲେ । ଆଖିରେ ଲୁହ ଗଡ଼ାଇ ନିଜ ଅଞ୍ଚଳର ପରାକ୍ରମୀ ଦେବାଶିଷଙ୍କୁ ସମସ୍ତେ ମନେ ପକାଇଥିଲେ। ତେବେ ସହିଦ ଦେବାଶିଷଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମୂର୍ତ୍ତି ସାକ୍ଷୀଗୋପାଳ ବଜାରଠାରୁ ତାଙ୍କ ଗାଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଉପଯୁକ୍ତ ସ୍ଥାନ ଦେଖି ତାଙ୍କ ପ୍ରତିମୂର୍ତ୍ତି ରଖିବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ପୁରୀ