ଦଣ୍ଡଯାତ୍ରାରେ ନିଆରା ପରମ୍ପରା, କଣ୍ଟାରେ ଗଡ଼ି ନିଆଁରେ ଝୁଲିଲେ କାଳେସୀ - କଣ୍ଟାରେ ଗଡ଼ି ନିଆଁରେ ଝୁଲିଲେ କାଳେସୀ
🎬 Watch Now: Feature Video
ଖୋର୍ଦ୍ଧା : ବାର ମାସରେ ତେର ପର୍ବ ଆମ ସଂସ୍କୃତି ଓ ପରମ୍ପରା । ଏହା ମଧ୍ୟରେ ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଅନ୍ୟତମ । ଏହି ଦିନ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ସେହିପରି ଦଣ୍ଡ ପର୍ବ ଅବ୍ୟବହିତ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ କାଳେସୀ ଲାଗି ବିଭିନ୍ନ ସ୍ଥାନରେ ନିଆଁ ଉପରେ ଓଲଟା ଝୁଲିଛନ୍ତି ତ ଆଉ କୋଉଠି କଣ୍ଟା ଉପରେ ଗଡିଛନ୍ତି ଦଣ୍ଡୁଆ । ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ୨୧ ଦିନ ଧରି ଦିନ ତମାମ ଉପବାସ ଓ ଥରୁଟିଏ ଅରୁଆ ଅନ୍ନ ଖାଇ ଏହି ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି ଦଣ୍ଡୁଆ । ଶେଷ ୭ଦିନ କେବଳ ଦିନକୁ ଥରୁଟିଏ ପଣାପିଇ ଏହି ଦଣ୍ଡ ସାଧିଥାନ୍ତି ଉପାସକ । ସେହିପରି ସଂକ୍ରାନ୍ତି ପୂର୍ବଦିନ ମେରୁ ପର୍ବ ଓ ବିଷୁବ ସଂକ୍ରାନ୍ତିରେ ନିଆଁରେ ଚାଲିବା, ନିଆଁ ଉପରେ ଓଲଟା ଝୁଲିବା ଓ କଣ୍ଟାରେ ଗଡ଼ିବା ଭଳି ଦୃଶ୍ୟ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ସେହିପରି ଖୋର୍ଦ୍ଧାର କାମନା ଦେବୀଙ୍କ ପୀଠରେ ରାସ୍ତା ଉପରୁ ପ୍ରାୟ ଦେଢ଼ଫୁଟ ଉଚ୍ଚରେ କଣ୍ଟା ଗୁଡ଼ିକ ବିଛାଯାଇଥିଲା । ପାଟଦଣ୍ଡୁଆ ଠାକୁରଙ୍କୁ ଆଣି ଚତୁଃପାଶ୍ୱରେ ପରିକ୍ରମା କରାଇବା ସହ କଣ୍ଟାକାଣ୍ଡ ଗୁଡ଼ିକୁ ଛୁଆଁଇଥିଲେ । ପରେ ଘଣ୍ଟା, ବାଦ୍ୟ, ଝୁଣା ସହ ହରିବୋଲ ହୁଳହୁଳି ଶବ୍ଦରେ ମାନସିକଧାରୀ ଦଣ୍ଡୁଆମାନେ କଣ୍ଟାକାଣ୍ଡରେ ଗଡ଼ିଥିଲେ । ସେହିପରି ବୋଲଗଡ଼ର ବିଭିନ୍ନ ସ୍ଥାନରେ ପାଟଦଣ୍ଡୁଆଙ୍କ ଓଘରତପ ଅନୁଷ୍ଠିତ ହୋଇଛି । ଏଥିରେ ନିଆଁ ଉପରେ ମୁଣ୍ଡତଳକୁ ଓ ଗୋଡ଼ ଉପରକୁ କରି ପାଟଦଣ୍ଡୁଆ ଝୁଲି ରହିଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା