thumbnail

By ETV Bharat Odisha Team

Published : Nov 18, 2023, 7:10 PM IST

ETV Bharat / Videos

ଝାରସୁଗୁଡାରେ ମହାବନ୍ଦ ଡାକରା, ୩୦ କୋଶଳ ସେନାଙ୍କୁ ଗିରଫ କଲା ପୋଲିସ

ଝାରସୁଗୁଡା: କୋଶଳ ସେନାର ମହାବନ୍ଦ ଡାକରା । ଏନେଇ ଝାରସୁଗୁଡା ସହରାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଝାରସୁଗୁଡାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଅନ୍ୟପକ୍ଷରେ କେବଳ ଜରୁରୀ ସେବାକୁ ବନ୍ଦ ଡାକରାରୁ ବାଦ୍‌ ଦିଆଯାଇଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନକୁ ନେଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ବନ୍ଦ ଡାକରା ଦିଆଯାଇଛି ବୋଲି କମିଟି ସ୍ପଷ୍ଟ କରିଛି ।

ତେବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ, ଏମ୍ସ ପ୍ରତିଷ୍ଠା ଦାବି ଅଣଦେଖା ହୋଇରହିଛି । ଗୋଟିଏ ପରେ ଗୋଟିଏ ଶିଳ୍ପାନୁଷ୍ଠାନକୁ ବନ୍ଦ କରାଯାଉଛି । ବର୍ତ୍ତମାନ ଓଡ଼ିଆ ସିନେମାରୁ ପଶ୍ଚିମ ଓଡ଼ିଶାର ପ୍ରତି‌ଷ୍ଠିତ କଳାକାର ମନୋଜ ମିଶ୍ରଙ୍କୁ ବ୍ୟାନ୍‌ କରିବା ବୈଷମ୍ୟତାବାଦର ଅନ୍ୟତମ ଉଦାହରଣ । ନୂଆଁଖାଇ ସରକାରୀ ଛୁଟି ତାଲିକାରେ ସାମିଲ ନହେବା ପଶ୍ଚିମ ଓଡ଼ିଶା ପ୍ରତି ଅପମ‌ାନ ବୋଲି କହିଛି କୋଶଳ ସେମନା କମିଟି  ।  

ଏହା ମଧ୍ୟ ପଢ଼ନ୍ତୁ......କୋଶଳ ରାଜ୍ୟ ଦାବିରେ 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ; ଯାନବାହନ ଚଳାଚଳ ଠପ୍

ସମଗ୍ର ପଶ୍ଚିମ ଓଡିଶାରେ କୋଶଳ ସେନା ପକ୍ଷରୁ ମହାବନ୍ଦ କରାଯାଉଥିବା ବେଳେ ଆଜି ଝାରସୁଗୁଡାରେ ମଧ୍ୟ ସକାଳୁ କୋଶଳ ସେନା ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । କିନ୍ତୁ ସକାଳୁ କିଛି ସମୟ ପିକେଟିଂ କରି ବନ୍ଦ କରୁଥିବା ସମୟରେ ପୋଲିସ କୋଶଳ ସେନାର ୩୦ ଜଣକୁ ଗିରଫ କରିଥିଲା । ଏହି ଗିରଫକୁ ନେଇ କୋଶଳ ସେନାର କର୍ମକର୍ତ୍ତା ବେହେରାମାଳ ଠାରୁ ଏକ ବିରାଟ ରାଲି କରି ଏସପିଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଗିରଫ କରାଯାଇଥିବା ୩୦ ଜଣକୁ ଛାଡ଼ିବା ପାଇଁ ଦାବି କରିଥିଲେ ।  ଯଦି କୋଶଳ ସେନାର ଦାବି ପୂରଣ ନହୁଏ ତେବେ ଆସନ୍ତା ୭ଦିନ ମଧ୍ୟରେ ସମଗ୍ର ଝାରସୁଗୁଡା ଜିଲ୍ଲାକୁ ବନ୍ଦ କରାଯିବ ବୋଲି କୋଶଳ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।  

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.