କୋରାପୁଟ ସରକାରୀ କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ - କୋରାପୁଟ ସରକାରୀ କଲେଜ
🎬 Watch Now: Feature Video
Published : Dec 13, 2023, 12:35 PM IST
କୋରାପୁଟ: ରାଜ୍ୟରେ ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା କଳାତ୍ମକ ସମ୍ଭାବନାକୁ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏକ ବଳିଷ୍ଠ ମାଧ୍ୟମ । ଏହି କାର୍ଯ୍ୟକ୍ରମ ଦ୍ଵାରା ଲୁକ୍କାୟିତ ପ୍ରତିଭାମାନେ ଲୋକଲୋଚନକୁ ଆସି ପାରୁଛନ୍ତି । ରାଜ୍ୟର ବିଭିନ୍ନ ସ୍କୁଲ୍ କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଚାଲିଥିବା ବେଳେ ଏହି କ୍ରମରେ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ମଧ୍ୟ ଏହି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ କଲେଜ୍ରେ ନାନା ସାଂସ୍କୃତିକ, ଖେଳ ଓ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି ।
ଅନେକ ଛାତ୍ରଛାତ୍ରୀ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ନିଜ କଳା ପ୍ରଦର୍ଶିତ କରୁଥିବା ବେଳେ କିଛି ସେମାନଙ୍କ ମଧ୍ୟରେ ଥିବା ଚିତ୍ରକଳା ପ୍ରତିଭାକୁ ସୁଯୋଗ ଦେବା ପାଇଁ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ । ପିଲାଙ୍କ ଆଗ୍ରହ ଦେଖି କଲେଜ ଅଧ୍ୟକ୍ଷ ସେମାନଙ୍କ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଉପଲବ୍ଧ କରାଇଥିଲେ । ଏହାପରେ ଛାତ୍ରଛାତ୍ରୀ କଲେଜ କାନ୍ଥରେ ଆଦିବାସୀ ଜନଜୀବନର ଚିତ୍ରକୁ ନିଖୁଣ ଭାବେ ଚିତ୍ରଣ କରିଥିଲେ । ଯାହା ସମସ୍ତଙ୍କୁ ଅଭିଭୂତ କରିଛି । ଏନେଇ କୋରାପୁଟ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପକ ପଟ୍ଟନାୟକ କହିଛନ୍ତି, ଏକ ସୁସ୍ଥ ପରିବେଶରେ ଉତ୍ତମ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟକୁ ଆଧାର କରି ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ଗ୍ରହଣ କରିବାରେ ସକ୍ଷମ ହୋଇପାରିବେ ।
ଏହା ମଧ୍ୟ ପଢନ୍ତୁ: ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ବୌଦ୍ଧ, ଜିଲ୍ଲା ପାଇଁ ଅନୁଦାନ 34.5 କୋଟି
ଖେଳକୁଦ, ନୃତ୍ୟଗୀତ ପ୍ରତିଯୋଗିତା ବ୍ୟତୀତ କୋରାପୁଟ ସରକାରୀ ମହାବିଦ୍ୟାଳୟ ପକ୍ଷରୁ ନୂଆ-ଓ, ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ 'ଝିଅ ପଢ଼ିବ ଝିଅ ବଢ଼ିବ' ପଥପ୍ରାନ୍ତ ନାଟକ ନିକଟସ୍ଥ ମାଛରା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ନାଟକ ଉପଭୋଗ କରିଥିଲେ ଏବଂ ବାଳିକା ଶିକ୍ଷାର ଆବଶ୍ୟକତା, ବାଲ୍ୟବିବାହ ଓ ନିଶା ନିବାରଣ ସମ୍ପର୍କରେ ସଚେତନ ହୋଇଥିଲେ । ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l
ଇଟିଭି ଭାରତ, କୋରାପୁଟ