FIH Pro League: ଆଜି ପୁଣି ମୁହାଁମୁହିଁ ହେବେ ଭାରତ ଓ ଜର୍ମାନୀ, ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ଭାରତ

🎬 Watch Now: Feature Video

thumbnail

ରାଉରକେଲା: ଆଜି ହକି ପ୍ରୋ ଲିଗ୍‌ରେ ପୁଣି ମୁହାଁମୁହିଁ ହେବେ ବିଶ୍ବ ବିଜେତା ଜର୍ମାନୀ ଏବଂ ଭାରତୀୟ ହକି ଦଳ । FIH Pro League ୨୦୨୩ରେ ଦ୍ବିତୀୟ ଥର ପାଇଁ ମୁହାମୁହିଁ ହେବେ ଭାରତ ଏବଂ ଜର୍ମାନୀ ହକି ଦଳ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ପରସ୍ପରକୁ ଭେଟିବା ପାଇଁ ପ୍ରସ୍ତୁତ ଦୁଇ ଦଳ । ତେବେ ଏହି ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ କିଭଳି ରଣନୀତି ଆପଣେଇବାକୁ ହେବ, ସେନେଇ କ୍ରୀଡ଼ା ସମୀକ୍ଷକ ସୁଶାନ୍ତ ବେହେରାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ମୃତିରଞ୍ଜନ ବେହେରା ।

ଗୋଟିଏ ପକ୍ଷରେ କହିବାକୁ ହେଲେ ଆଜିର ମ୍ୟାଚ୍‌ ଭାରତୀୟ ଅଧିନାୟକ ହରମନପ୍ରୀତ ବନାମ ଜର୍ମାନ ଡେଡ୍‌ଲି ପିଲେଟ ଗଞ୍ଜାଲୋ । କାରଣ ଦୁଇ ଦଳର ଏହି ଦୁଇ ଜଣ ଖେଳାଳିଙ୍କ ଉପରେ ମସ୍ତଙ୍କ ନଜର ରହିବ । ଉଭୟଙ୍କ ମଧ୍ୟରେ ଆଜି ରହିବ କଣ୍ଟାର ଟକ୍କର । ଯାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ତେବେ ଆଜି ଭାରତୀୟ ହକି ଦଳ ନିଜର ବିଜୟ ରଥ ଜାରି ରଖିବାକୁ ଚେଷ୍ଟା କରିବ । ପ୍ରଥମ ମ୍ୟାଚରେ ଜର୍ମାନୀକୁ ହରାଇବ ଦ୍ବିତୀୟ ମ୍ୟାଚ୍‌ରେ ଗତକାଲି ଏକ ହାଇ ଭୋଲ୍ଟେଜ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ । ଅନ୍ୟ ପକ୍ଷରେ ଜର୍ମାନୀ ଦଳ ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ପରାସ୍ତ ହୋଇଥିଲା । କିନ୍ତୁ ଏହାର ଠିକ ପର ମ୍ୟାଚରେ ଅଷ୍ଟ୍ରେଲିଆ ହକି ଦଳକୁ ପରାସ୍ତ କରିଛି । ଆଜି ପୁଣି ଭାରତ ସହ ଜର୍ମାନୀ ମୁହାଁମୁହିଁ ହେବାକୁ ଥିବାବେଳେ ଭାରତୀୟ ହକି ଦଳ କେଉଁ ପ୍ରକାର ରଣ କୌଶଳ ଅପଣାଇବ ତାହା ନେଇ ଆମ ସହ ଆଲୋଚନା କରିଥିଲେ ବରିଷ୍ଠ କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରା ।  

ସେ କହିଛନ୍ତି, "ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ରାଉରକେଲାରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟ ଲାଭ କରିଥିଲା । ଆଜି ପୁଣି ସେହି ଉଚ୍ଚକୋଟୀର ମ୍ୟାଚ ପ୍ରଦର୍ଶନ କରିବାକୁ ପଡିବ ଭାରତୀୟ ହକି ଦଳକୁ । ଆମକୁ ନିଜର ନୂଆ ଟେକ୍‌ନିକ୍‌ରେ ଖେଳି ବିଜୟ ଲାଭ କରିବାକୁ ପଡିବ । ଆମକୁ ଆମର ଅଟାକ ଆଉ ଟିକିଏ ଭଲ ଏବଂ ପେନାଲ୍‌ଟିକୁ ଗୋଲରେ ପରିଣତ କରିବା ସହ ହାଫ ଚାନ୍ସକୁ ଗୋଲ କରିବା ସବୁଠାରୁ ମହତ୍ବପୂର୍ଣ୍ଣ ରହିବ । ସବୁ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବା ମୁସ୍କିଲ । ସମସ୍ତ ଖେଳାଳି ଏଥିରେ ବିଫଳ ହୁଅନ୍ତି । କିନ୍ତୁ ଏହାକୁ ହାର ନମାନି ନିଜର ବୁଦ୍ଧି ଏବଂ ଦକ୍ଷତାକୁ ବ୍ୟବହାର କରି ପେନାଲ୍‌ଟିକୁ ଗୋଲରେ ପରିଣତ କରିବାକୁ ହେବ । ସବୁଠାରୁ ବଡ଼ କଥା ହେଉଛି ଯେ ଭାରତୀୟ ହକି ଦଳ ବର୍ତ୍ତମାନ ଫିଲ୍ଡ ଗୋଲ କରିବାରେ ମଧ୍ୟ ସଫଳ ହୋଇଛି । ତେଣୁ ବର୍ତ୍ତମାନ ଟିମରେ ଭଲ ସମାନତା ରହିଛି ଏବଂ ଟିମ୍‌ ଭଲ ପ୍ରଦର୍ଶନ ମଧ୍ୟ କରୁଛି ।"

ସେ ଆହୁରି କହିଛନ୍ତି, "ଭାରତୀୟ ଅଧିନାୟକ ହରମନପ୍ରୀତ, ହାର୍ଦ୍ଦିକ, ସୁଖଜିତ, ମନପ୍ରୀତଙ୍କ ଖେଳ ଉପରେ ସମସ୍ତଙ୍କ ନଜର ରହିବ । ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଫର୍ମକୁ ଫେରିଥିବାବେଳେ ସେପଟେ ଜର୍ମାନୀ ଦଳରେ ଚିତାକର୍ଷକ ଖେଳାଳି ପିଲେଟ ଗଞ୍ଜାଲୋ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି । ତେବେ ପ୍ରଥମ ମ୍ୟାଚରେ ଭାରତ ଯେଉଁଭଳି ଭାବରେ ଏକ ଶୃଙ୍ଖଳିତ ଦଳ ହୋଇ ମ୍ୟାଚ ଖେଳିଥିଲା ଏବଂ ପ୍ରଥମରୁ ଆକ୍ରାମକ ଖେଳ ଖେଳିଥିଲା, ଯେଉଁଥିପାଇଁ ବିଶ୍ବ ବିଜୟୀ ଜର୍ମାନୀକୁ ପରାସ୍ତ କରିବାରେ ସଫଳ ହୋଇଥିଲା ଟିମ ଇଣ୍ଟିଆ । ସମସ୍ତ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଗତକାଲି ମ୍ୟାଚରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଥିଲା ଏବଂ ହରମନପ୍ରୀତ ହ୍ୟାଟ୍ରିକ ଗୋଲ କରିଥିଲେ । ଅନ୍ୟ ଖେଳାଳୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ଭାରତୀୟ ହକି ଦଳ ବିଜୟ ଲାଭ କରିଥିଲା । ଆଜିର ଜର୍ମାନୀ ବିପକ୍ଷ ମ୍ୟାଚରେ ମଧ୍ୟ ଭାରତକୁ ଜିତିବାକୁ ହେଲେ ପୂର୍ବଭଳି ଆଟାକ କରି ଖେଳିବାକୁ ପଡିବ ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.