ହୋଲି ଖେଳିଲେ ମଧୁରମୟୀ ଆଶ୍ରମର ଅନ୍ତେବାସୀ - ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନ

🎬 Watch Now: Feature Video

thumbnail

By

Published : Mar 8, 2023, 10:21 PM IST

ଭୁବନେଶ୍ବର: ରଙ୍ଗର ପର୍ବ ହୋଲିକୁ ସମସ୍ତେ ବେଶ ଧୁମଧାମରେ ପାଳନ କରଥିବାବେଳେ ଏହି ପର୍ବକୁ ବେଶ ଖୁସିର ସହ ମନାଇଛନ୍ତି ମଧୁରମୟୀ ଆଶ୍ରମର ଅନ୍ତେବାସୀ । ଏହି ପର୍ବକୁ ପରିବାର ନୁହେଁ, ହଷ୍ଟେଲରେ ରହୁଥିବା ଭାଇ ଭଉଣୀଙ୍କ ସହ ମନାଇଛନ୍ତି ଏହି ଆଶ୍ରମର ଛାତ୍ରଛାତ୍ରୀ । ଏହାସହ ମୁକ ଓ ବଧିର ବିଦ୍ୟାଳୟର କିଛି ପିଲା ମଧ୍ୟ ଏଠାରେ ହୋଲି ଖେଳିଛନ୍ତି । ବିଭିନ୍ନ ଅନୁଷ୍ଠାନ ଓ ବଲିଉଡ କଳାକାର ମାନେ ଆସି ଏହି ପିଲାମାନଙ୍କ ସହ ହୋଲି ଖେଳିଥିଭା ଦେଖିବାକୁ ମିଳିଛି ।  

ଏହି ପିଲାମାନେ ପରିବାର ଠାରୁ ଦୂରରେ ରହିଥାନ୍ତି । ତେଣୁ ତାଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ସମସ୍ତେ ଧାଇଁ ଆସିଛନ୍ତି ଖୁସିର ଏହି ପର୍ବ ମନାଇବା ପାଇଁ ଓ ସେମାଙ୍କ ସହ ଏକ ନିଆରା ସ୍ମୃତି ସାଉଣ୍ଟିବା ପାଇଁ । ପିଲାମାନଙ୍କ ଖୁସିକୁ ନଜରରେ ରଖି ୧୨ ମାସର ୧୩ ପର୍ବ ଏଠାରେ ପାଳନ ହେଉଥିବା ବେଳେ ହୋଲିକୁ ମଧ୍ୟ ବେଶ ଧୂମଧାମରେ ପାଳନ କରାଯାଇଥାଏ । ତେଣୁ ଆଜି ହୋଲିକୁ ନେଇ ପିଲାମାନେ ସାତ ରଙ୍ଗକୁ ପରସ୍ପରକୁ ବୋଳି ରଙ୍ଗର ପର୍ବକୁ ପାଳନ କରିଛନ୍ତି । ଗୀତ ବଜାଇ ନାଚି ଗାଇ ଖୁସିର ରଙ୍ଗରେ ରଙ୍ଗେଇ ହୋଇ ବେଶ ଆନନ୍ଦ ଉପଭୋଗ କରିଛନ୍ତି ।  

ତେବେ ହୋଲିର ପର୍ବ ସବୁଠାରୁ ନିଆରା ହୋଇଥିବା ବେଳେ ଏଠାରେ ବି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁ ମୁକ ଓ ସ୍ରବଣବାଧିତ ଛାତ୍ରଛାତ୍ରୀ ଏଠାରେ ରହିଛନ୍ତି ସେମାନେ ତାଙ୍କର ଖୁସିକୁ ନିଜର ଇଙ୍ଗିତ ମାଧ୍ୟମରେ ଅତି ସୁନ୍ଦର ଭାବେ ଦେଖାଇଥିଲେ । ଆଉ ମୁହଁରେ ଚେନାଏ ଚେନାଏ ହସ ଦେଖାଇ ନିଜ ଖୁସିର ଉପଲବ୍ଧିକୁ ସେ କ୍ୟାମେରା ଆଗରେ ବଖାଣୁଥିଲେ । ସତରେ ଏହି ଦୃଶ୍ୟ ହିଁ ଅନେକ ଅକୁହା ଖୁସିକୁ ବଖାଣୁଥାଏ । ଆଉ କହୁଥାଏ, 'ହଁ ଆମେ ବି ରଙ୍ଗର ପର୍ବ ପାଳୁଛୁ, ଆଉ ସମସ୍ତଙ୍କ ପରି ଖୁସି ମନାଉଛୁ ।' ତେଣୁ ସେମାନେ ଶୁଣି ନପାରିଲେ ବା କହି ନପାରିଲେ ମଧ୍ୟ ହୋଲିର ପର୍ବକୁ ବେଶ ଧୁମଧାମରେ ମନାଉଛନ୍ତି ।

ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନରେ ଯେଉଁ ପିଲାମାନେ ରହିଥାନ୍ତି, ସେମାନଙ୍କ ପରିବାର ଲୋକେ ଅର୍ଥାତ ବାପା କିମ୍ବା ମାଆ ଜେଲରେ ସଜା କାଟୁଥିବାବେଳେ ସେମାନେ ଏହି ଆଶ୍ରମରେ ରହି କିନ୍ତୁ ସବୁକିଛି ଭୁଲି ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନାରେ ପାଠ ପଢିବା ସହ ନିଜକୁ ଏକ ଭଲ ମଣିଷ ଟିଏ କରି ଗଢିତୋଳିବାର ପ୍ରୟାସ ଜାରି ରଖିଥାନ୍ତି । ତେଣୁ ପାଠ ପଢିବା ସହ ଭାରତୀୟ ସଂସ୍କୃତିର ସମସ୍ତ ପର୍ବ ପାଳନ କରିଥାନ୍ତି ଏହି ପିଲାମାନେ । ଆଉ ଛୋଟିଆ ଛୋଟିଆ ଖୁସିକୁ ନେଇ ନିଜ ନିଜ ଭିତରେ ଖୁସି ବାଣ୍ଟି ପରସ୍ପରର ସାହାରା ସାଜି ଘରକୁ ଭୁଲି ନିଜେ ବଞ୍ଚିବା ଶିଖନ୍ତି ଓ ଅନ୍ୟ ପାଇଁ ଉଦାହରଣ ସାଜନ୍ତି । ତେଣୁ କେବଳ ଆଜି ନୁହେଁ ସବୁ ବେଳେ ଦୁଃଖର ଦୁନିଆ ଭିତରେ ଖୁସିର ବିଜକୁ ବୁଣି ଖୁସି ହୋଇଥାନ୍ତି ଏହି ଆଶ୍ରମର ଛାତ୍ରଛାତ୍ରୀ ବା ଅନ୍ତେବାସୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.