thumbnail

ଖରାରେ ସିଝୁଛି ପଶ୍ଚିମ ଓଡିଶା, ଦିନରେ ଅଘୋଷିତ କର୍ଫ୍ୟୁ

By

Published : Jun 10, 2023, 4:40 PM IST

ଝାରସୁଗୁଡ଼ା: ରାଜ୍ୟରେ ଝାରସୁଗୁଡ଼ା ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ଗତକାଲି ଝାରସୁଗୁଡ଼ାରେ 45.6ଂ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଯାହା ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ହୋଇଥିବା ଜଣାପଡିଛି। ସକାଳ ୭ଟାରୁ ଖରାର ପ୍ରକୋପ ଆରମ୍ଭ ହୋଇଯାଉଥିବାବେଳେ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅତିଷ୍ଠ ହେଉଛନ୍ତି ଅଞ୍ଚଳବାସୀ । ଶୁକ୍ରବାର ଝାରସୁଗୁଡାର ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିବାବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ତାପମାତ୍ରା 42ଂ ସେଲସିୟସ ରହିଥିବା ଅନୁମାନ କରାଯାଉଛି । ପ୍ରବଳ ଖରା କାରଣରୁ ସକାଳ ୯ଟା ପରେ ଲୋକେ ଘରୁ ବାହାରକୁ ବାହାରୁନଥିବାବେଳେ ଅଘୋଷିତ କର୍ଫ୍ୟୁ ଭଳି ମନେ ହେଉଛି।

ତେବେ ଶିଳ୍ପ ନଗରୀ ଝାରସୁଗୁଡ଼ାର ଚାରିଆଡ଼େ ଶିଳ୍ପ ସଂସ୍ଥା ରହିଥିବାରୁ ପ୍ରଦୂଷଣ ବୃଦ୍ଧି ପାଉଛି।  ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଦିନ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ଉପରେ ରହିଛି ।  ଆଜି ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୨ ଡିଗ୍ରୀ ତାତି ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡାରେ ୪୧.୬, ହୀରାକୁଦରେ ୪୧, କେନ୍ଦୁଝରରେ ୩୮.୨, ଭୁବନେଶ୍ବରରେ ୩୭.୨ ଡିଗ୍ରୀ ତାତି ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
ମେ’ ମାସ ଶେଷ ହୋଇ ଜୁନ ଆରମ୍ଭ ହୋଇଥିଲେ ମଧ୍ୟ ଗ୍ରୀଷ୍ମର ପ୍ରକୋପ କମିବାର ନା ନେଉନି । ପାରଦ ପ୍ରତିଦିନ ୪୨ ଡିଗ୍ରୀରୁ ଉର୍ଦ୍ଧ୍ବରେ ରହୁଛି । ଲୋକେ ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ବ୍ୟବହାର କରୁଥିବା ନଜର ଆସିଛି । ରାଜ୍ୟରେ ମୌସୁମୀ ପ୍ରବେଶ ବିଳମ୍ବ ଥିବାବେଳେ ତାପମାତ୍ରା ଆହୁରି ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.