ବିଭିନ୍ନ ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ କ୍ୟାନସର ହସ୍ପିଟାଲ୍ ନର୍ସିଂ ଷ୍ଟାଫ୍, ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ କହିଲେ ନିରଞ୍ଜନ - ସ୍ୱାସ୍ତ୍ୟ ମନ୍ତ୍ରୀଙ୍କୁ ଘେରିଲେ ନର୍ସିଂ ଷ୍ଟାଫ
🎬 Watch Now: Feature Video
କଟକ: ଆଜି କଟକରେ ହଟହଟା ହେଲେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରିଛନ୍ତି ଚୁକ୍ତି ଭିତ୍ତିକ ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ । ବିଭିନ୍ନ ଦାବି ନେଇ ମନ୍ତ୍ରୀଙ୍କୁ ଅଟକ ରଖିଥିବା ଦେଖିବାକୁ ମିଳିଛି। ପ୍ରାୟ ଅଧ ଘଂଟା ଯାଏଁ ଅଟକ ପରେ ସମସ୍ତ ସୁରକ୍ଷା ବ୍ୟବସ୍ଥାରେ ମନ୍ତ୍ରୀ ମେଡିକାଲ ପରିସରରୁ ବାହାରିଥିଲେ। ତାହା ପୁଣି ଚାଲି ଚାଲି। ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡାକଡି ଥିଲା। ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ କର୍ମଚାରୀମାନେ ରାସ୍ତା ଉପରେ ଶୋଇ ନିଜର ଦାବି ଜଣାଇଥିଲେ।
ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଠିକାରେ ଥିବା ନର୍ସିଂ ଷ୍ଟାଫ୍ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦୀର୍ଘ ଦିନ ଧରି କର୍କଟ ରୋଗ ପ୍ରତିଷ୍ଠାନରେ ୧୯୫ଜଣ ନର୍ସିଂ ଅଫିସର ଠିକାରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଠିକା ନର୍ସିଂ ଅଫିସର ମାନେ କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ନିର୍ଦ୍ଦେଶକ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସେପଟେ ଆଜି କର୍କଟ ରୋଗ ପ୍ରତିଷ୍ଠାନର ପରିଚାଳନା କମିଟି ବୈଠକରେ ଯୋଗ ଦେଵା ପାଇଁ ଆସିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଆନ୍ଦୋଳନରତ କର୍ମଚାରୀମାନେ ସେମାନଙ୍କର ଅଭିଯୋଗ ଜଣାଇଥିଲେ।
ଏହା ମଧ୍ୟ ପଢନ୍ତୁ-କଟକ ବଡ଼ ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ: ଆହତଙ୍କୁ ଭେଟିଲେ, ସ୍ବାସ୍ଥ୍ୟବସ୍ଥା ପଚାରିଲେ
ଏ ସମ୍ପର୍କରେ ବିଭାଗୀୟ ସଚିବ ଅର୍ଥ ବିଭାଗ ସହ ଆଲୋଚନା କରିଛନ୍ତି ଓ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଆନ୍ଦୋଳନ ଚାଲିଥିବାବେଳେ ଘଟଣାସ୍ଥଳରେ ମନ୍ତ୍ରୀ ପହଞ୍ଚିବାରୁ କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ତେବେ ଆଗାମୀ ଦିନରେ ଯଦି ଏହି ଦିଗରେ ଶୀଘ୍ର କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଯାହା ଘଟିବ ସେନେଇ ମେଡିକାଲ କତ୍ତୃପକ୍ଷ ଓ ସରକାର ହିଁ ଦାୟୀ ରହିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ।
ଇଟିଭି ଭାରତ, କଟକ