Watch: ପ୍ରଥମ ବନ୍ୟାଜଳ ଛାଡିଲା ଗୋହିରା ଡ୍ୟାମ - ଗୋହିରା ଜଳସେଚନ ପ୍ରକଳ୍ପ
🎬 Watch Now: Feature Video
ଦେବଗଡ଼: ଦେବଗଡ଼ ଗୋହିରା ଡ୍ୟାମରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟା ଜଳ । ଗତକାଲି ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛନ୍ତି । ଜିଲ୍ଲାରେ ବିଗତ କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ଗୋହିରା ଜଳସେଚନ ପ୍ରକଳ୍ପ ଜଳଭଣ୍ଡାରରେ ବନ୍ୟାଜଳ ପରିପୂର୍ଣ୍ଣ ହୋଇଛି । ପ୍ରକଳ୍ପ ଜଳଭଣ୍ଡାରର ଜଳସ୍ତର ଗତକାଲି ସକାଳ 8 ଘଟିକା ସମୟରେ 234.60 ମିଟରକୁ ଛୁଇଁଥିଲା । କିନ୍ତୁ ଗୋହିରା ଡ୍ୟାମର ଜଳଧାରଣ କ୍ଷମତା ( F.R.L.) 235.50 ମିଟର । ଏନେଇ ଡ୍ୟାମ କର୍ତ୍ତୃପକ୍ଷ ମୁଖ୍ୟ ଫାଟକର ଗୋଟିଏ ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ନେଇଥିଲେ । ସକାଳୁ ଗୋହିରା ତଳ ମୁଣ୍ଡରେ ଥିବା ଗାଁର ଲୋକଙ୍କୁ ଗେଟ ଖୋଲାଯିବା ନେଇ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଇଥିବା ବେଳେ ସେହିପରି ଗେଟ ଖୋଲାଯିବାର ଅଧ ଘଣ୍ଟା ପୂର୍ବରୁ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଇ ଦିଆଯାଇଥିଲା । ତେବେ ସନ୍ଧ୍ୟା 5ଟା ସମୟରେ ଗୋଟିଏ ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ଲୋୟର ସୁକତେଲ ଡ୍ୟାମ୍ରେ ପଶୁଛି ବନ୍ୟାଜଳ: ବଢୁଛି ଜଳସ୍ଥର, ଗାଁ ଛାଡିବାକୁ ନାରାଜ ବିସ୍ଥାପିତ
ସୂଚନା ଯୋଗ୍ୟ ଯେ, ବନ୍ୟା ନିୟନ୍ତ୍ରଣ ଓ ଚାଷଜମିକୁ ଜଳସେଚନ ଲକ୍ଷରେ ଦେବଗଡ଼ ଜିଲ୍ଲା ଆମ୍ବଘାଟ ଗାଁ ନିକଟସ୍ଥ ଗୋହିରା ନଦୀରେ ଗତ 1977 ମସିହାରେ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ୫ଟି ଗେଟ ବିଶିଷ୍ଟ ଏହି ପ୍ରକଳ୍ପ କାର୍ଯ୍ୟ 1985 ମସିହା ବେଳକୁ ସମାପ୍ତ ହୋଇଥିଲା । ଏହି ପ୍ରକଳ୍ପ ଦ୍ବାରା ଖରିଫ ଚାଷରେ 8120 ହେକ୍ଟର ଜମି ଓ ରବି ଚାଷରେ 5700 ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇଥିବାରୁ ଓ ଜଳଭଣ୍ଡାରକୁ ପ୍ରତି ଘଣ୍ଟାରେ ଅଧିକ ଜଳ ପଶୁଥିବାରୁ ଆଗକୁ ଅଧିକ ଗେଟ ଖୋଲି ଜଳ ନିଷ୍କାସନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଗୋହିରା ନଦୀ ଗର୍ଭକୁ କିଛିଦିନ ପର୍ଯ୍ୟନ୍ତ କେହି ନ ଯିବା କିମ୍ବା ଗୃହପାଳିତ ପଶୁଙ୍କୁ ନ ଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଇଟିଭି ଭାରତ, ଦେବଗଡ