thumbnail

By ETV Bharat Odisha Team

Published : Oct 7, 2023, 9:31 AM IST

Updated : Oct 7, 2023, 9:57 AM IST

ETV Bharat / Videos

ମାଆ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା ସମ୍ପନ୍ନ, ଆରମ୍ଭ ହେଲା ଷୋଡଶ ଉପଚାର ପୂଜା

ଭବାନୀପାଟଣା: ଜଗତର କଲ୍ୟାଣ ପାଇଁ ଧରାପୃଷ୍ଠରେ ଅବତରଣ କରନ୍ତି ମା' ଦୁର୍ଗା ।  ମା'ଙ୍କ ଏକ ରୂପ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ବରୀ । ଲଙ୍କାରୁ ଆସି କଳାହାଣ୍ଡି ଜିଲ୍ଲା ଜୁନାଗଡରେ ପୂଜା ପାଉଛନ୍ତି । ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା ଅନୁଷ୍ଠିତ ହୋଇଛି । ଶାରଦୀୟ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଜିଲ୍ଲାର ସର୍ବପୁରାତନ ମନ୍ଦିର ମାଳିନୀ ସହର ଜୁନାଗଡ଼ ସହରରେ ଲଙ୍କେଶ୍ଵରୀ ଦେବୀଙ୍କ ଏହି ଯାତ୍ରା ପାଇଁ ବହୁ ଭକ୍ତଙ୍କ ଜନସମାଗମ ହେଇଥାଏ । ଶୁକ୍ରବାର ମୂଳଷ୍ଟମୀ ତିଥିରେ ମା'ଙ୍କ ଖଣ୍ଡାବସା ଯାତ୍ରା ସମ୍ପନ୍ନ ସହ ଲଙ୍କେଶ୍ବରୀ ପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ଏଠାରେ ମା’ଙ୍କ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ଖଣ୍ଡାବସା ଯାତ୍ରା ହେଉଛି ମାଙ୍କ ମୁଖ୍ୟ ପର୍ବ । ଏହି ଯାତ୍ରା ଆଶ୍ବିନ ମାସ ମୂଳାଷ୍ଟମୀରୁ ୧୬ ଦିନ ଧରି ଚାଲିଥାଏ ।  

କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରୁ ନାଗବଂଶୀୟ ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ପାଇଁ ମା' ଲଙ୍କେଶ୍ବରୀଙ୍କୁ ସୁମରଣ କରନ୍ତି । ସେହି ଦିନଠାରୁ ଏହି ଖଣ୍ଡାବସା ଯାତ୍ରା ପାଳନ ହୋଇଆସୁଛି । ପରମ୍ପରା ଅନୁଯାୟୀ ମା'ଙ୍କ ମନ୍ଦିରରୁ ଶଙ୍ଖୁଆରୀ ଖଣ୍ଡା ଓ ପାଟ ଖଣ୍ଡାକୁ ମନ୍ଦିର ଗର୍ଭଗୃହରୁ ବାହାର କରି ସହରର ଡାକବଙ୍ଗଳାଠାରେ ଏକ ଅସ୍ଥାୟୀ ମନ୍ଦିରରେ ପହଞ୍ଚି ସେଠାରେ ସ୍ବର୍ଣ୍ଣାକାର ଦୁଇଟି ଖଣ୍ଡାକୁ ମାର୍ଜନା କରି ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜ ପୂଜକ ଓ ଶଙ୍ଖୁଆରୀ ଦୁଇଟି ଖଣ୍ଡା ଧରି ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ମନ୍ଦିରରେ ଦୁଇଟି ଖଣ୍ଡା ପହଞ୍ଚିବା ପରେ ସେଠାରେ କଳାହାଣ୍ଡି ମହାରାଜ ପହଞ୍ଚି ମନ୍ଦିର ଗର୍ଭଗୃହରେ ମାଆଙ୍କ ସ୍ୱତନ୍ତ୍ର ଗୁପ୍ତ ରୀତିନୀତି ଷୋଡ଼ଶଉପଚାର ପୂଜାର୍ଚ୍ଚନା ପରେ ପାଟ ଖଣ୍ଡା ଓ ଶଙ୍ଖୁଆରୀ ଖଣ୍ଡାଙ୍କୁ ଚାଉଳ ମୁଠିରେ ବସାଇବା ପରେ ମାଆଙ୍କ ନିକଟରେ ଜେନା ବଳି ଅର୍ପଣ କରାଯାଇଥାଏ ।

  ଏହା ମଧ୍ୟ ପଢନ୍ତୁ- ପାଖେଇ ଆସୁଛି ମା’ ବିରଜାଙ୍କ ଶାରଦୀୟ ପୂଜା, ବନଜାଗ ଯାତ୍ରା ଅନୁଷ୍ଠିତ

ରାଜତନ୍ତ୍ର ସମୟରୁ ନାଗବଂଶୀୟ ରାଜାମାନେ ପ୍ରତ୍ୟେକ ବର୍ଷ ମା’ ଲଙ୍କେଶ୍ବରୀଙ୍କ ପବିତ୍ର ଖଣ୍ଡାବସା ପର୍ବକୁ ମହାସମାରୋହରେ ପାଳନ କରି ଆସୁଥିଲେ ବୋଲି କୁହାଯାଏ । ସେବେ ଠାରୁ ଏହି ପରମ୍ପରା ନିରବଚ୍ଛିନ୍ନ ଭାବରେ ଉତ୍ସାହ ଉଦ୍ଦିପନା ସହ ହୋଇଆସୁଛି । ତେବେ ଗତକାଲି ଏହି ଖଣ୍ଡାବସା ଯାତ୍ରା ପ୍ରବଳ ଜନସମାଗମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଆଙ୍କ ଦର୍ଶନ, ଫୁଟବଲ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ସମଗ୍ର ଜିଲ୍ଲାରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।  

ଇଟିଭି ଭାରତ, କଳାହାଣ୍ଡି 

Last Updated : Oct 7, 2023, 9:57 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.