thumbnail

ପାର୍ବଣ ଋତୁରେ ସ୍ବାସ୍ଥ୍ୟକୁ ଗୁରୁତ୍ବ, ଖାଦ୍ୟର ମାନ ଯାଞ୍ଚ କରୁଛି ଖାଦ୍ୟ ସୁରକ୍ଷା ବିଭାଗ

By ETV Bharat Odisha Team

Published : Oct 18, 2023, 8:03 AM IST

ବାଲେଶ୍ବର: ଆରମ୍ଭ ହୋଇଛି ପାର୍ବଣ ଋତୁ । ମହାଳୟାଠାରୁ ବିଭିନ୍ନ ପୀଠରେ ମା' ଦୁର୍ଗାଙ୍କ ନବରାତ୍ର ପୂଜା ଯଥାବିଧି ଅନୁସାରେ ଆରମ୍ଭ ହୋଇଛି । ବାଲେଶ୍ଵର ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ମା'ଙ୍କ ଆଗମନ ନେଇ ପୂଜା ମଣ୍ଡପରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ପୂଜା ବଜାରରେ ଯେପରି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ନଯାଏ ସେଥିପ୍ରତି ଖାଦ୍ୟ ନିରାପତ୍ତା ବିଭାଗ ଦୃଷ୍ଟି ରଖିଛି । ଏଥିପାଇଁ ନିୟମିତ ଭାବେ ଚଢ଼ାଉ ଜାରି ରଖିଥିବା ବେଳେ ଜୋରିମାନା ଏବଂ ଖାଦ୍ୟ ନମୁନା ଯାଞ୍ଚ ପାଇଁ ସଂଗ୍ରହ କରି ଲ୍ୟାଵକୁ ପଠାଯାଉଛି । ସେହିପରି ଗତ ଅପ୍ରେଲ ମାସ ଠାରୁ ଆଜି ଯାଏ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉରେ 96 ହଜାର 500 ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହାସହ 74ଟି ଖାଦ୍ୟ ନମୁନା ସଂଗ୍ରହ କରି ଭୁବନେଶ୍ୱର ଲ୍ୟାଵକୁ ପଠାଯାଇଛି । ଯେଉଁ ସ୍ଥାନଗୁଡିକରେ ଅସୁବିଧା ରହିଛି ସେସବୁ ଚିହ୍ନଟ କରାଯାଇ ପ୍ରାୟ 30ରୁ ଉର୍ଦ୍ଧ୍ଵ ମାମଲା ପଞ୍ଜିକରଣ କରାଯାଇଛି। ଏହାରି ଭିତରେ ନୂଆ ଲାଇସେନ୍ସକୁ ମିଶାଇ ପ୍ରାୟ 742ଟି ପ୍ରଦାନ କରାଯାଇଛି । ବହୁ ଦିନ ପର୍ଯ୍ୟନ୍ତ ଖାଦ୍ୟ ରଖି ଲୋକଙ୍କୁ ଦିଆଯିବା ସହ ଖାଦ୍ୟର ରଙ୍ଗକୁ ଆକୃଷ୍ଟ କରିବା ପାଇଁ ଅସ୍ୱାସ୍ଥ୍ୟକର ତଥା ହାନୀକାରକ କୃତ୍ରିମ ରଙ୍ଗ ଖାଦ୍ୟରେ ମିଶାଯାଉଛି । ଏହାକୁ ଜବତ କରିଛି ଖାଦ୍ୟ ନିରାପତ୍ତା ବିଭାଗ । ଏହାସହ ବିଭିନ୍ନ ପାଉଁରୁଟି ଫ୍ୟାକ୍ଟ୍ରି ଏବଂ ମିଠା ଦୋକାନରେ ଏକ୍ସପାରି ତାରିଖ ଉଲ୍ଲେଖ ନଥିବା ଚଢ଼ାଉ ବେଳେ ଦେଖିବାକୁ ମିଳୁଛି । ଯେଉଁଥି ପାଇଁ ସେମାନଙ୍କ ଉପରେ ଜରିମାନା ଲଗାଯାଉଛି । ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.