ପରୀକ୍ଷା ବେଳେ ଖସିଲା ଫ୍ୟାନ, ଆହତ ହେଲେ ପରୀକ୍ଷାର୍ଥୀ - ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ
🎬 Watch Now: Feature Video
କଟକ: ପରୀକ୍ଷା ଦେଲା ବେଳେ ଛିଣ୍ଡି ପଡିଲା ଫ୍ୟାନ । ଛାତ୍ରଙ୍କ ମୁଣ୍ଡ ଉପରେ ଫ୍ୟାନ ପଡି ଘଟଣା ସ୍ଥଳରେ ଆହତ ହୋଇଛନ୍ତି ଛାତ୍ର। ଏନେଇ ସଙ୍ଗେ ସଙ୍ଗେ ମେଡିକାଲରେ ଛାତ୍ରଙ୍କ ପ୍ରାଥମିକ ଚିକତ୍ସା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ଅଞ୍ଚଳରେ । ଉକ୍ତ ଅଞ୍ଚଳର ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସମୟରେ ଘଟିଛି ଏହି ଅଘଟଣ । ଛାତରୁ ସିଲିଂ ଫ୍ୟାନ ପଡ଼ି ଦୁଇ ଛାତ୍ର ଆହତ ହୋଇଛନ୍ତି । ଜଣେ ଛାତ୍ରର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଜଣେ ଛାତ୍ର ର ବେକ ରେ ଆଘାତ ଲାଗିଛି। ଏନେଇ ସେମାନଙ୍କୁ ଆଠଗଡ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ତେବେ ଦୁଇ ଜଣ ଛାତ୍ର +2 ପ୍ରଥମ ବର୍ଷ ର କଳା ବିଭାଗର ସମୀର ସେଠି ଓ ତାପସ ଜେନା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଆଜି ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମବର୍ଷ ଓଡ଼ିଆ ପରୀକ୍ଷା ଚାଲିଥିବା ବେଳେ ହଠାତ ଏକ ସିଲିଂ ଫ୍ୟାନ ଛିଡି ଖସି ପଡିଥିଲା | ଫ୍ୟାନଟି ଦୁଇ ଜଣ ଛାତ୍ରଙ୍କ ମୁଣ୍ଡ ଉପରେ ପଡିଥିଲା | ଆହତ ଦୁଇ ଛାତ୍ରଙ୍କୁ ମହାବିଦ୍ୟାଳୟର କର୍ମଚାରୀ ମାନେ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇ ଆଣିବା ପରେ ପୁନର୍ବାର ଛାତ୍ର ମାନେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ | ମହାବିଦ୍ୟାଳୟରେ ଫ୍ୟାନ ଗୁଡିକର ରକ୍ଷଣାବେକ୍ଷଣା ସଠିକ ଭାବେ କରାଯାଉ ନଥିବାରୁ ଏପରି ଘଟଣା ଘଟିଛି | ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ସାହୁ କହିଛନ୍ତି ଯେ ଗତ 15 ଦିନ ତଳେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକଙ୍କ ଦ୍ୱାରା ଫ୍ୟାନ ଗୁଡିକର ମରାମତି କରାଯାଇଥିଲା | ହେଲେ କିପରି ଭାବେ ଫ୍ୟାନ ଛିଡି ପଡିଲା ତାହା ଜଣା ପଡୁନି | ଏହାର ତଦନ୍ତ କରି ଉକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସାହୁ ।
ଇଟିଭି ଭାରତ , କଟକ