ସତର୍କ କରାଇଲେ TPNODL CEO: ଟୋଲ ଫ୍ରି ନମ୍ବରରେ କଲ କରି ଜଣାନ୍ତୁ ସମସ୍ୟା, ପ୍ରତିଟି ଜୀବନ ମୂଲ୍ୟବାନ - ଦୁର୍ଘଟଣା ରୋକିବା ପାଇଁ ସଚେତନତା
🎬 Watch Now: Feature Video
ବାଲେଶ୍ବର: ଆରମ୍ଭ ହୋଇଯାଇଛି ବର୍ଷା ଋତୁ। ଏହାରି ଭିତରେ ଅନେକ ସମୟରେ ବିଦ୍ୟୁତ ଆଘାତରେ ବହୁ ଧନଜୀବନ ନଷ୍ଟ ହେବାର କଥା ମଧ୍ୟ ସାମ୍ନାକୁ ଆସିଥାଏ। କେତେବେଳେ ଧାନ ବିଲରେ ବିଦ୍ୟୁତ ତାର ଛିଣ୍ଡି ଗାଈଗୋରୁଙ୍କ ଜୀବନ ଯାଉଛି ତ କେତେବେଳେ ପୁଣି ବିଦ୍ୟୁତ ଆଘାତ ଲାଗି ମଣିଷର ଜୀବନ ଯାଉଛି। ଏସବୁ ଭିତରେ ବିଦ୍ୟୁତ ବିଭାଗର କିଛିଟା ଅବହେଳା ରହୁଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସତର୍କତା ରହୁନଥିବାରୁ ବୈଦ୍ୟୁତିକ ଦୁର୍ଘଟଣା ଘଟୁଥିବା ଅନୁମାନ କରାଯାଉଛି। କାଳବୈଶାଖୀ ହେଉ କିମ୍ବା ପ୍ରବଳ ବର୍ଷା ସମୟରେ ବୈଦ୍ୟୁତିକ ଦୁର୍ଘଟଣା ଅଧିକ ଦେଖିବାକୁ ମିଳିଥାଏ। ଏଥିପାଇଁ ବାଲେଶ୍ଵର ସମେତ ଉତ୍ତର ଓଡ଼ିଶାର ବିଦ୍ୟୁତ ବଣ୍ଟନର ଦାୟିତ୍ବ ନେଇଥିବା TPNODL କ'ଣ ପଦକ୍ଷେପ ନେଇଛି ଏବଂ ଦୁର୍ଘଟଣା ରୋକିବା ପାଇଁ କେଉଁ ସବୁ ଉପାୟ ଆପଣାଇଛି ସେ ବିଷୟରେ ଆମେ ଆଲୋଚନା TPNODLର ସିଇଓ ଭାସ୍କର ସରକାରଙ୍କ ସହ କରିଥିଲୁ ।
ପ୍ରଥମତଃ ବର୍ଷା ଦିନରେ କୌଣସି କାରଣରୁ ତଳେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସ୍ପର୍ଶ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି TPNODLର ସିଇଓ। ସେ କହିଛନ୍ତି, "ବିଦ୍ୟୁତ ତାର ଛିଣ୍ଡି ଭୂମିରେ ପଡିବା କ୍ଷଣି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭ୍ୟାକ୍ୟୁମ ସର୍କିଟ ବ୍ରେକର ଲାଗିଥାଏ। ଯାହାଦ୍ବାରା ବିଦ୍ୟୁତ ତାର ଛିଣ୍ଡି ଆର୍ଥ ସଂଯୋଗ ହେଲେ ସଙ୍ଗେସଙ୍ଗେ ବିଦ୍ୟୁତ ଟ୍ରିପ୍ କରି ଯାଇଥାଏ। ଫଳରେ ସାଧାରଣ ଧନଜୀବନ ନଷ୍ଟ ହେବାରୁ ବର୍ତ୍ତି ଯାଇଥାଏ। ମାତ୍ର ତଥାପି କୌଣସି କାରଣରୁ ଯଦି ଭ୍ୟାକ୍ୟୁମ ସର୍କିଟ ବ୍ରେକର କାମ କରିନଥାଏ ତେବେ ବିଦ୍ୟୁତ ତାରରେ କରେଣ୍ଟ ରହିଥାଏ।" ଏଥିପାଇଁ ଉକ୍ତ ତାର ନିକଟକୁ ନଯିବା ପାଇଁ ସିଇଓ ଆହ୍ବାନ ଦେଇଛନ୍ତି।
ଏଭଳି ପରିସ୍ଥିତିରେ ତୁରନ୍ତ ଲୋକମାନେ ଟୋଲ ଫ୍ରି ସହାୟତା କେନ୍ଦ୍ର ନମ୍ବର 1912ରେ ଯୋଗାଯୋଗ କଲେ ଯେକୌଣସି ବିଦ୍ୟୁତ ସମସ୍ୟା ତୁରନ୍ତ ସମାଧାନ କରାଯାଇପାରିବ। ନିକଟରେ ବାଲେଶ୍ବର ବାହାନଗାରେ ଛାତିଥରା ଟ୍ରେନ ଦୁର୍ଘଟଣା ଘଟିଥିଲା। ସିଗନାଲ ତ୍ରୁଟିକୁ କାରଣରୁ ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ବର୍ଷା ଋତୁ ଥିବାରୁ ବିଦ୍ୟୁତ ଜନିତ ଦୁର୍ଘଟଣାକୁ କିଭଳି ଏଡ଼ାଇ ଦିଆଯାଇପାରିବ ସେଥିପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି।
ଇଟିଭି ଭାରତ, ବାଲେଶ୍ବର