ପେନସନ ପାଇଁ ହଟହଟା, ଘୋଷାଡ଼ି ହୋଇ ଭତ୍ତା ଟଙ୍କା ଆଣିବାକୁ ଗଲେ ବୃଦ୍ଧା - ଘୋଷାଡ଼ି ହୋଇ ଭତ୍ତା ଟଙ୍କା ଆଣିବାକୁ ଗଲେ ବୃଦ୍ଧା
🎬 Watch Now: Feature Video
ମାଲକାନଗିରି: ପରିଣତ ବୟସରେ ବୟସ୍କଙ୍କ ପାଇଁ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା କରିଛନ୍ତି । ହେଲେ ପେନସନ ଟିକକ ପାଇବା ପାଇଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଭତ୍ତା ଟଙ୍କା ପାଇଁ ଏକ କିଲୋମିଟର ଘୋଷାଡ଼ି ହୋଇ ଯାଉଛନ୍ତି ବୃଦ୍ଧା । ପରିଣତ ବୟସରେ ଚାଲିପାରୁନଥିବାରୁ ହଟହଟା ହେଉଛନ୍ତି, ହେଲେ ପ୍ରଶାସନର ପଡିନି ନଜର । ଏ ହେଉଛି ମାଲକାନଗିରି ମ୍ୟୁନିସିପାଲଟି ୧୦ ନମ୍ବର ୱାଡର ଦୃଶ୍ୟ । ବୃଦ୍ଧା ଜଣକ ହେଉଛନ୍ତି ଉକ୍ତ ୱାଡର ମଙ୍ଗଲଦେଇ ହରିଜନ । ଖବର ପାଇଲେ ତାଙ୍କ ୱାଡରେ ଭତ୍ତା ଟଙ୍କା ବଣ୍ଟାଯାଉଛି । ଏହି ସମୟରେ ଘରେ କେହି ନଥିବାରୁ ବାଧ୍ୟ ହୋଇ ନିଜେ ଭତ୍ତା ଟଙ୍କା ଆଣିବାକୁ ଘରୁ ବାହାରିଥିଲେ । ପରିଣତ ବୟସରେ ଗୋଡ଼ରେ ଚାଲିବାକୁ ସାମର୍ଥ୍ୟ ନଥିବା ବେଳେ ପ୍ରାୟ ଏକ କିଲୋମିଟର ଘୋଷାଡ଼ି ହୋଇ ଭତ୍ତା ଟଙ୍କା ଆଣିବାକୁ ଯାଇଥିଲେ ।
ଏହାପରେ ଟଙ୍କା ନେଇ ପୂର୍ବପରି ଘୋଷାଡ଼ି ହୋଇ ଘରକୁ ଫେରିଲେ । ତେବେ ବୃଦ୍ଧା ଜଣକ ତିନିମାସ ହେବ ଭତ୍ତା ପାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ମ୍ୟୁନିସିପାଲଟି ସମାଜ ମଙ୍ଗଳ ଅଧିକାରୀ । ସେ କହିଛନ୍ତି, "ପ୍ରତିମାସରେ ତାଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି । ମାତ୍ର ଏଥର ଘରକୁ ଯାଇ ନଥିବାରୁ ଖବର ପାଇ ସେ ନିଜେ ଭତ୍ତା ନେବାକୁ ଆସିଛନ୍ତି ।" ତେବେ ବୃଦ୍ଧାଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ପ୍ରଶାସନ ଏଥିପ୍ରତି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
ଇଟିଭି ଭାରତ, ମାଲକାନଗିରି