ଚଳଚଞ୍ଚଳ ସୁବର୍ଣ୍ଣପୁର, ସ୍ବତନ୍ତ୍ର ରୀତିନୀତିରେ ଚାଲିଛି ମହାମାୟାଙ୍କ ପୂଜାର୍ଚ୍ଚନା - ଦୁର୍ଗାପୂଜା 2023
🎬 Watch Now: Feature Video
Published : Oct 24, 2023, 9:01 AM IST
ସୁବର୍ଣ୍ଣପୁର: ତନ୍ତ୍ରର ପ୍ରୟୋଗଶାଳା ଭାବେ ପରିଚିତ ସୋନପୁର ଗଡଜାତ ସହରରେ ଚାଲିଛି ଦେବୀ ମାଆ ଦୁର୍ଗାଙ୍କ ପୂଜା ଆରାଧନା । ସହରର ଅଷ୍ଟଚଣ୍ଡୀଙ୍କ ପୀଠ ସମେତ ଗଡଭିତର ଦେବୀ ମାଆ ଦୁର୍ଗାଙ୍କ ମନ୍ଦିରରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି ।ଏହି କ୍ରମରେ ଚୌହାନ ଶାସକଙ୍କ ଇଷ୍ଟ ଦେବୀ ମାଆ କନକ ଦୁର୍ଗାଙ୍କ ତାନ୍ତ୍ରୀକ ପୂଜା ଆରାଧନା ସହିତ ପଡା ପଡାରେ ଦେବୀଙ୍କ ନବରାତ୍ରୀ ଓ ପଂଚଦିନାତ୍ମକ ପୂଜା ଆରାଧନା ଚାଲିଛି ।
ତେବେ ପୂଜା ମଣ୍ଡପ ଗୁଡିକରେ ଆଜି(ମଙ୍ଗଳବାର) ସଂଧ୍ୟାରେ ଦଶମୀ ପୂଜା ପରେ ଦେବୀ ମାଆଙ୍କ ମନ୍ତ୍ର ବିସର୍ଜନ ପର୍ବ କ୍ରିୟାର ସମାପନ ହେବ । ଗଡ଼ଜାତ ସହରର ଥାନାପତି ପଡ଼ାଠାରେ ନବରାତ୍ର ଦୁର୍ଗାପୂଜା ଚାଲିଥିବା ବେଳେ ବ୍ଳକ ଛକରେ ଆକର୍ଷଣୀୟ ପଞ୍ଚଦିନାତ୍ମକ ଦୁର୍ଗା ପୂଜା ଚାଲିଛି । ପଞ୍ଚଦିନାତ୍ମକ ଦୁର୍ଗାପୂଜା ପାଇଁ ଆଶ୍ବୀନ ଶୁକ୍ଳ ଷଷ୍ଠୀ ତିଥିରେ ଅଧିବାସ, ସପ୍ତମୀ ପ୍ରାତଃରେ ଦେବୀଙ୍କ ଆବାହନ, ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥି ତିନି ଦିନ ଯାଏଁ ଦେବୀଙ୍କ ଚଣ୍ଡୀପାଠ, ଦଶମୀ ସଂଧ୍ୟାରୁ ଦଶହରା ପୂଜା ଆରାଧନା ଓ ଆଜି ମନ୍ତ୍ର ବିସର୍ଜନ ପର୍ବ ପରେ ଦେବୀ ଶକ୍ତି ଆରାଧନା କ୍ରିୟାର ପୂର୍ଣ୍ଣାହୂତି ହେବ ।
ଏହାମଧ୍ୟ ପଢନ୍ତୁ...ଚଳଚଞ୍ଚଳ ମେଟାକନୀଙ୍କ ପୀଠ, ଦଶହରାରେ ଦର୍ଶନ କଲେ ମନୋସ୍କାମନା ପୂରଣ କରନ୍ତି ମା’ !
ଅନ୍ୟପଟେ ଆକର୍ଷଣୀୟ ତୋରଣ, ଆଲୋକ ସଜ୍ଜା ତଥା ଦେବୀ ମାଙ୍କ ମୃଣ୍ମୟୀ ପ୍ରତିମାଙ୍କ ଦର୍ଶନ ପାଇବା ସହିତ ଦେବୀ କୃପା ଲାଭ କରିବା ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ପୂଜା କମିଟିଗୁଡିକ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂଜା କମିଟିଗୁଡ଼ିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମଧ୍ୟାନ୍ନରେ ଅନ୍ନ ଭୋଗ ସହିତ ପ୍ରାତଃ ଓ ସଞ୍ଜରେ ବାଳଭୋଗ ଆଦିର ଆୟୋଜନ କରାଯାଇଛି । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସହରର ପୂଜା ମଣ୍ଡପଗୁଡିକରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର