ଧୁମଧାମରେ ଆମ୍ବେଦକର ଜୟନ୍ତୀ ପାଳିତ

By

Published : Apr 14, 2023, 4:21 PM IST

thumbnail

ଭବାନୀପାଟଣା: ଆଜି ଭାରତର ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଭବାନୀପାଟଣାଠାରେ ଭାରତରତ୍ନ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହାକୁ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଂଗଠନ, ପ୍ରଶାସନିକ ଅଧିକାରୀ ଓ ରାଜନେତା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ପ୍ରକଳ୍ପ ନିର୍ଦ୍ଦେଶକ ସଚିନ ପାୱାର, ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୀବନଚର୍ଯ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ବକୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଅନେକ ଶିକ୍ଷାବିତ୍ ରାଜନେତା, ସମାଜସେବୀ ଓ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ । 

ପରେ ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଥିଲା । ଜିଲ୍ଲା ବିଜୁ ଜନତା ପକ୍ଷରୁ ସହରର ବିଭିନ୍ନ ସ୍ଥାନମାନଙ୍କରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ସମେତ ସମସ୍ତ ନେତା ଓ କର୍ମୀ ସାମିଲ ହୋଇଥିବା ବେଳେ ଜିଲ୍ଲା ଓକିଲ ସଂଘ ଜିଲ୍ଲା ବଣିକ ସଂଘ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇ ଆଧୁନିକ ଭାରତର ମୁଖ୍ୟ ବିନ୍ଧାଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.