ଘୁମୁରା ଉତ୍ସବରେ ସମ୍ବଲପୁରୀ ଗୀତ ଗାଇଲେ ଧର୍ମଗଡ ଉପଜିଲ୍ଲାପାଳ

By

Published : Jan 19, 2023, 8:03 AM IST

Updated : Feb 3, 2023, 8:39 PM IST

thumbnail

ଭବାନୀପାଟଣା: ଉଦଯାପିତ ହୋଇଯାଇଛି କଳାହାଣ୍ଡିରେ ଆୟୋଜିତ ଘୁମୁରା ଉତ୍ସବ । ଉଦଯାପନୀ ସନ୍ଧ୍ୟାରେ ସମ୍ବଲପୁରୀ ଗୀତ ଗାଇଲେ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ । ମହୁଲ ଝାରାରେ ବରସିଲା ପାନି ଗୀତ ଗାଇ ଦର୍ଶକଙ୍କ ମନ ଜିଣିଲେ ଉପଜିଲ୍ଲାପାଳ । ଜାନୁଆରୀ ୧୪ ତାରିଖରୁ ଘୁମୁରା ଉତ୍ସବ ଆରମ୍ଭ ହୋଇ ଯାଇଥିବା ବେଳେ ଗତ ମଙ୍ଗଳବାର ଶେଷ ହୋଇଛି ।

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ କୁଳପତି ସଂଜୟ ଶତପଥି ଓ ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ ଯୋଗ ଦେଇଥିଲେ । ସେଠାରେ ସଭା କାର୍ଯ୍ୟ ପରେ ପରେ ବିର ବାଦ୍ୟ ଘୁମୁରାର ନାଦରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଭୁବନେଶ୍ୱରର ନଟରାଜ ଗ୍ରୁପର ଓଡିଶୀ ନୃତ୍ୟ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ ନୃତ୍ୟ ଓ ବରଗଡ଼ର ରସଭରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।  

ସେହିପରି ଲୋକଗୀତ, ଭବାନୀପାଟଣାର ଜେକେ ୱାଲ୍‌, ବିକାଶ, ମୟୂରୀ ଲୋକନୃତ୍ୟ, ସଂଗମ, ସଂସ୍କୃତି, ଜୁନାଗଡ଼ର ମାଆ ଲଙ୍କେଶ୍ଵରୀ ଅନୁଷ୍ଠାନ, ସମ୍ବଲପୁର ଜିଲ୍ଲା ସଂସ୍କୃତି ପରିଷଦ, ମାଲକାନଗିରି ଜିଲ୍ଲା ସଂସ୍କୃତି ପରିଷଦ, ବରଗଡ଼ର କଳାଜୀବୀ, ଲଗନ ସାଂସ୍କୃତିକ ଅନୁଷ୍ଠାନ, ସମ୍ବଲପୁରର ଫୋକ୍ ଟ୍ରାଡିସନ୍, ଖୋର୍ଦ୍ଧାର ଆରାଧନା ଡ୍ୟାନ୍ସ ଏକାଡେମୀ ଏବଂ ଝାଡ଼ଖଣ୍ଡର ପାଇକିଆ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମଧ୍ୟ ଗୀତ ପରିବେଷଣ କରିଥିଲେ ।

ଘୁମୁରା ଉତ୍ସବର ଶେଷ ଦିନରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି କଳାହାଣ୍ଡି ମାଟିକୁ ଗର୍ବିତ କରିଥିବା ୫ଜଣ ଭାରତ ଭୂଷଣ ଦେଓ, ମୂରଲୀଧର ମହାରଣା, ହେମନ୍ତ ମୁଣ୍ଡ, ବିରଞ୍ଚି ପଣ୍ଡା, ରଥୀ ନାଗଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ଦୀର୍ଘ ୩ ବର୍ଷ ଧରି ବନ୍ଦ ରହିଥିଲା ଘୁମୁରା ଉତ୍ସବ । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠିତ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । 

ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଜିଲ୍ଲାସ୍ତରୀୟ ଉତ୍ସବରେ ୪୦୦ଟି ଷ୍ଟଲର ବ୍ୟବସ୍ଥା କରାଯାଇଥିବା ବେଳେ ପଲ୍ଲିଶ୍ରୀ ମେଳାର ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟବସାୟୀ ନିଜର ବ୍ୟବସାୟ କରିଥିଲେ । ଗତ ୧୫ ତାରିଖ ଦିନ ଜେଲ୍ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାହାଗିରି ଅନୁଷ୍ଠିତ ହେବା ସହ ମହିଳାମାନଙ୍କ ମଧ୍ୟରେ ଝୋଟି, ହୁଳହୁଳି ଭଳି ଅନେକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । 

ଇଟିଭି ଭାରତ, କଳାହାଣ୍ଡି

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.