ଶ୍ରୀଜିଉଙ୍କ ବରାହ ନୃସିଂହ ବେଶ, ଦର୍ଶନ କଲେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ - ବରାହ ନୃସିଂହ ବେଶ ଦର୍ଶନ
🎬 Watch Now: Feature Video
ବୌଦ୍ଧ: ରତ୍ନବେଦୀ ଛାଡି ଜନ୍ମବେଦୀରେ ଅଛନ୍ତି ମହାପ୍ରଭୁ । ନବଦିନାତ୍ମକ ଯାତ୍ରାର ଚତୁର୍ଥ ଦିନରେ ଶୁକ୍ରବାର ଶ୍ରୀଜିଉଙ୍କ ବରାହ ନୃସିଂହ ବେଶ ଅନୁଷ୍ଠିତ ହୋଇଯାଇଛି । ଆଡପ ମଣ୍ଡପରେ ବରାହ ଓ ନୃସିଂହ ବେଶରେ ଦର୍ଶନ ଦେଇଛନ୍ତି କାଳିଆ ଠାକୁର । ବୌଦ୍ଧ ଜିଲ୍ଲା ସଦର ମହକୁମାର ପ୍ରସିଦ୍ଧ ମାଉସୀ ମା' ମନ୍ଦିର ସମେତ ଜିଲ୍ଲା ବିଭିନ୍ନ ସ୍ଥାନରେ ଜନ୍ମବେଦୀରେ ଠାକୁରଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଭାବବିହ୍ବଳ ହୋଇଛନ୍ତି ଭକ୍ତ । ମହାପ୍ରଭୁଙ୍କ ବେଶ ଦର୍ଶନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ମାଉସୀ ମା' ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବିଶ୍ବ ନିୟନ୍ତାଙ୍କୁ ଦର୍ଶନ କରିବାକୁ ଦୂର ଦୂରାନ୍ତରୁ ଛୁଟି ଆସିଥିଲେ ଅନେକ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ । ଆବାଳ-ବୃଦ୍ଧ-ବନିତା ମହାପ୍ରଭୁ ଜଗନ୍ନାଥଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରି କୃତାର୍ଥ ହୋଇଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମାଉସୀ ମା' ମନ୍ଦିରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭଜନ, ନାମ ସଂକୀର୍ତ୍ତନ, ଆଧ୍ୟାତ୍ମିକ ନାଟକ ଆଦି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ଜିଲ୍ଲାର ଠିଡିକାଯୋର, ହରଭଙ୍ଗା, ପୁରୁଣାକଟକ, ତିଲେଶ୍ବର, ସାହାଜପାଲ, ନାଏକପଡା, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡା ଭଳି ଅନେକ ସ୍ଥାନରେ ଠାକୁରଙ୍କ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଆଜି ହେରା ପଞ୍ଚମୀ ଥିବାବେଳେ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ । ହେରା ପଞ୍ଚମୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ତିନି ଠାକୁରଙ୍କ ନବଦିନାତ୍ମକ ଯାତ୍ରା ସମୟରେ ବୌଦ୍ଧ ଜିଲ୍ଲାରେ ମୌସୁମୀ ପହଞ୍ଚି ଥିବାରୁ ଶ୍ରଦ୍ଧାଳୁଙ୍କ ସହିତ ଚାଷୀକୂଳ ମଧ୍ୟ ବେଶ ଆନନ୍ଦିତ ହୋଇ ଉଠିଛନ୍ତି ।
ଇଟିଭି ଭାରତ, ବୌଦ୍ଧ